ସୁବର୍ଣ୍ଣପୁର (ଚୈତନ୍ୟଭୁକ୍ତା): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ବିଶିପଡା ଗ୍ରାମପଞ୍ଚାୟତରେ ହେଉଥିବା ମହାଦୁର୍ନୀତି ଓ ଗୁଣ୍ଡାରାଜ ବିରୁଦ୍ଧରେ ବିଡ଼ିଓଙ୍କୁ ଘେରିଲେ ଶତାଧିକ ମହିଳା। ବିଶିପଡା ଗ୍ରାମପଞ୍ଚାୟତର ଶତକଡା ୭୦ ରୁ ୮୦ ଭାଗ ନାଗରିକ ଦିନ ମଜୁରିଆ ଭାବରେ କାର୍ଯ୍ୟ କରନ୍ତି। କିନ୍ତୁ ବଡ଼ ଦୁଃଖର ବିଷୟ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଶ୍ରମିକ ମାନଙ୍କୁ ରୋଜଗାରକ୍ଷମ କରିବା ନିମନ୍ତେ ରାଜ୍ୟ ଏବଂ କେନ୍ଦ୍ର ସରକାର ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଶିପଡ଼ା ଗ୍ରାମପଞ୍ଚାୟତରେ ଶ୍ରମିକମାନେ ରୋଜଗାରରୁ ବଞ୍ଚିତ ରହି ଭୋକଉପାସରେ ଦିନ କାଟୁଛନ୍ତି।
ଏପରିକି କାମ କରିବାକୁ ଶ୍ରମିକ ମାନେ ଅନୁରୋଧ କରୁଥିଲେ ସୁଦ୍ଧା ଗାଁର କିଛି ମୁଷ୍ଟିମେୟ ଓ ଖଳ ପ୍ରକୃତିର ଲୋକ ସେମାନଙ୍କୁ ଡରେଇ ଧମକେଇ ମେସିନ ଲଗେଇ କୋଟି କୋଟି ଟଙ୍କାର ସରକାରୀ ଅର୍ଥକୁ ଆତ୍ମସାତ କରୁଥିବା ଭଳିଆ ସଂଙ୍ଗୀନ ଅଭିଯୋଗ ଆସିଅଛି। ଯାହାର ତୀବ୍ର ବିରୋଧ କରିବା ସହିତ ଶତାଧିକ ମହିଳା ପୁରୁଷ ଶ୍ରମିକ ନାରାବାଜି କରି ଉଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀକାରିଣୀ ମହୋଦୟା ଙ୍କୁ ସାକ୍ଷାତ କରିବା ସହିତ ଲିଖିତ ଅଭିଯୋଗ କରିଛନ୍ତି।
ଯଥାଶୀଘ୍ର ଏଭଳି ଖଳ ପ୍ରକୃତିର ଲୋକମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସେମାନଙ୍କୁ ମଜୁରୀ ଯୋଗାଇ ଦିଆ ନ ଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ଏପରିକି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ସଙ୍ଗିନ ଅଭିଯୋଗ ବିଷୟରେ ଆମ ଗଣମାଧ୍ୟମ ପ୍ରତିନିଧି ବିଡ଼ିଓ ମହୋଦୟା ଙ୍କ ପ୍ରତିକ୍ରିୟା ନେବାକୁ ପ୍ରୟାସ କରିଥିଲେ ହେଁ ବିଡ଼ିଓ ମହୋଦୟା କୌଣସି ପ୍ରତିକ୍ରିୟା ରଖିବାକୁ ମନା କରିଦେଇଥିଲେ। ଯାହା ଫଳରେ ବିଡ଼ିଓ ମହୋଦୟା ଙ୍କ ନୀରବତା ବୁଦ୍ଧିଜୀବୀ ମହଲରେ ସନ୍ଦେହ ସୃଷ୍ଟି କରୁଅଛି।