ବରଗଡ଼ ଧନୁଯାତ୍ରା: ବଦଳିଲେ ଶ୍ରୀକୃଷ୍ଣ, ବଳରାମ, ଶ୍ରୀରାଧା

ବରଗଡ (ମୁକୁନ୍ଦ ଦାସ): ଜାନୁଆରୀ ୩ରୁ ଆରମ୍ଭ ହେବାକୁ ଥିବା ବରଗଡ଼ ଧନୁଯାତ୍ରା ମହୋତ୍ସବର ମୁଖ୍ୟ ଚରିତ୍ର କଂସ ଅଭିନେତା ବଦଳିଥିବା ବେଳେ ଶ୍ରୀକୃଷ୍ଣ, ବଳରାମ ଏବଂ ଶ୍ରୀରାଧା ଭୂମିକାରେ ଅଭିନୟ କରୁଥିବା ଶିଶୁ କଳାକାର ମଧ୍ୟ ବଦଳିଛନ୍ତି। ଗୁରୁବାର ଗୋପପୁର (ଅମ୍ବାପାଲି)ସ୍ଥିତ ସମଲେଶ୍ୱରୀ ସରକାରୀ ହାଇସ୍କୁଲରେ ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ ଆସନ୍ତା ଧନୁଯାତ୍ରା ମହୋତ୍ସବ ପାଇଁ ସ୍ବପ୍ନିଳ ମହାପାତ୍ରଙ୍କୁ ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରିବାକୁ ମନୋନୀତ କରାଯାଇଛିlବରଗଡ଼ ବିକାଶ ଫାଷ୍ଟଷ୍ଟେପ୍‌ ବିଦ୍ୟାଳୟର ପଞ୍ଚମ ଶ୍ରେଣୀରେ ପଢୁଥିବା ସ୍ବପ୍ନିଳଙ୍କ ପିଲାବେଳୁ କଳା ପ୍ରତି ଋଚି ରହିଛି। ସେ ପୂର୍ବରୁ ଦିନକ ପାଇଁ ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରିଥିଲେ। ସେହିପରି ପୂର୍ବରୁ ତାଙ୍କ ବଡ଼ଭାଇ ଶ୍ରୀୟାଂଶ, ସମ୍ରାଟ ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରିଆସୁଥିଲେ।

ବଡ଼ଭାଇଙ୍କ ଅଭିନୟରୁ ସେ ଅନେକ ପ୍ରେରଣା ପାଇଛନ୍ତି। ଏଥର ସ୍ବପ୍ନିଳଙ୍କ ଶ୍ରୀକୃଷ୍ଣ ଅଭିନୟ ଉଚ୍ଚକୋଟୀର ହେବ ବୋଲି ସ୍ଥାନୀୟ ଲୋକେ ଆଶାବାଦୀ ଅଛନ୍ତି।ସେହିପରି ବଳରାମ ଭୂମିକାରେ ଅଭିନୟ ପାଇଁ ଦିବ୍ୟାଂଶୁ ବିର୍ତ୍ତିଆ ମନୋନୀତ ହୋଇଛନ୍ତି। ବରଗଡ଼ କେନ୍ଦ୍ରୀୟ ବିଦ୍ୟାଳୟରେ ସେ ସପ୍ତମ ଶ୍ରେଣୀରେ ପଢ଼ୁଛନ୍ତି। ସେହିପରି ବରଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର(ଓଡ଼ିଆ ବିଭାଗ)ର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସାଇନା ପ୍ରଧାନ ଶ୍ରୀରାଧା ଭୂମିକାରେ ଅଭିନୟ କରିବାକୁ ମନୋନୀତ ହୋଇଛନ୍ତି। ସେ ପୂର୍ବରୁ ଶ୍ରୀରାଧାଙ୍କ ସଖୀ ଲଳିତା ଚରିତ୍ରରେ ଅଭିନୟ କରିଛନ୍ତି। ଚୟନ ପ୍ରକ୍ରିୟା ସମୟରେ ଗୋପପୁର କମିଟିର ଈଶ୍ୱର ବାଗ, ରାଜକୁମାର ପ୍ରଧାନ, ଦୟାନିଧି ପ୍ରଧାନ, ନାରାୟଣ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!