କେନ୍ଦୁଝର (ସୀତାରାମ ଦୀକ୍ଷିତ): କେନ୍ଦୁଝରର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ କପିଳେଶ୍ୱର ମହେଶ ମନ୍ଦିର ପରିସରରେ ହିନ୍ଦୁ ଜାଗୃତିମଞ୍ଚ ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ହିନ୍ଦୁ ଜାଗୃତି ମଞ୍ଚର ଉପଦେଷ୍ଟା ଶ୍ରୀ ମହେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଜିଲା ସଂଯୋଜକ ଶ୍ରୀ ଦୁର୍ଯୋଧନ ମହାନ୍ତ ସହ ସଂଯୋଜକ ଶ୍ରୀ ନିରଞ୍ଜନ ପଲେଇ ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଏହି ବୈଠକରେ ଆଗାମୀ ଚୈତ୍ର ଶୁକ୍ଳ ପ୍ରତିପଦା ଅବସରରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ମହା ଆଡମ୍ବର ସହକାରେ ହିନ୍ଦୁ ଭାବଧାରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ କରିବା ପାଇଁ ଏହି ବୈଠକରେ ଆଲୋଚନା କରା ଯାଇଥିଲା।
ହିନ୍ଦୁ ପଞ୍ଜିକା ଅନୁସାରେ ଚୈତ୍ର ଶୁକ୍ଳ ପ୍ରତିପଦା ଦିନ ହିନ୍ଦୁ ନବବର୍ଷ ଚଳିତ ବର୍ଷ ୨୦୨୫ ମସିହା ମାର୍ଚ୍ଚ ୩୦ ରବିବାର ରେ ନବରାତ୍ରୀ ଆରମ୍ଭ ହେଉଛି । ହିନ୍ଦୁ ନବବର୍ଷ ଆରମ୍ଭ ହେବା ପରେ ଯେଉଁ ଦିନ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରି ଥାଆନ୍ତି ଅର୍ଥାତ ମେଷ ସଂକ୍ରାନ୍ତି ହୋଇଥାଏ, ସେହି ଦିନ ହିଁ ହିନ୍ଦୁ ନବ ବର୍ଷର ପ୍ରାରମ୍ଭ ହୋଇ ଥାଏ। ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନର ମହତ୍ଵକୁ ପ୍ରତି ହିନ୍ଦୁ ପରିବାରରେ ମହା ଆଡମ୍ବର ସହକାରେ ପାଳନ କରିବାର ବାର୍ତ୍ତା ପହଞ୍ଚାଇବା ସହିତ ଏହି ଦିବସକୁ ପାଳନ କରିବା ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ଏହି ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା।
ଚଳିତ ବର୍ଷ ଏହି ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନକୁ ଅଧିକ ସରସ ସୁନ୍ଦର ଓ ଲୋକାଦୃତ କରିବା ପାଇଁ ଭାରତୀୟ ସଂସ୍କୃତିକୁ ଆଧାର କରି ବୌଦ୍ଧିକ କାର୍ଯ୍ୟକ୍ରମ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବାର ନିଷ୍ପତି ହୋଇଥିଲା। ଏହି ବୈଠକରେ ଦୁଷ୍ମନ୍ତ କୁମାର ଜେନା, ଡାକ୍ତର ଅରୁଣ କୁମାର ସାହୁ, ପ୍ରତାପ ଝରା, ରମାକାନ୍ତ ମହାନ୍ତ, ଦେବରାଜ ଆଚାର୍ଯ୍ୟ, ଲଷ୍ମୀଧର ନାଏକ, ମିଲନ ନାଏକ, ଚିତ୍ତ ରଞ୍ଜନ ମହାନ୍ତ, ରଞ୍ଜିତ ସାହୁ, ସୌମ୍ୟ ସାହୁ, ସନାତନ ମହାରଣା, ଡାକ୍ତର ଜଗଦୀଶ ମହାନ୍ତ, ପ୍ରଣବ ବେହେରା, ଅବିନାଶ ଦାସ, କମଳ ଲୋଚନ ମହାନ୍ତ, ଈଶ୍ୱର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ଚୂଡାନ୍ତ ରୂପରେଖ ପ୍ରସ୍ତୁତ କରିଥିଲେ। ଶାନ୍ତିପାଠ ସହିତ ବୈଠକ ଶେଷ କରା ଯାଇଥିଲା।