ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ରାଜ୍ୟସ୍ତରୀୟ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ଵର (ସମୀର ରଞ୍ଜନ ନାୟକ) : ରାଜ୍ୟସ୍ତରୀୟ ଡଃ ମନମୋହନ ସିଂହ ସ୍ମୃତି କମିଟି ପକ୍ଷରୁ ଆଦାହକ ଶ୍ରୀ ମାନସ ଚୌଧୁରୀଙ୍କ ପୌରହିତ୍ୟରେ ମଙ୍ଗଳବାର ଜୟଦେବ ଭଦନ (ଭୁବନେଶ୍ଵରଠାରେ) ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନଙ୍କ ପାଇଁ ରାଜ୍ୟସ୍ତରୀୟ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅତିଥିମାନେ ସ୍ୱର୍ଗତ ମନମୋହନ ସିଂହଙ୍କ ପଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରିବା ପରେ ପ୍ରଦୀପ ପ୍ରଜ୍ଜ୍ଵଳନ ହୋଇଥିଲା । ଭୁବନେଶ୍ୱର ଗୁରୁଦ୍ୱାର ସିଂ ସଭାର ପ୍ରତିନିଧ ଶ୍ରୀ ସତପାଲ ସିଂହ ଓ ଏମ୍.ଏସ୍. କାସି ଏଠାରେ ଉପସ୍ଥିତ ରହି ସ୍ୱର୍ଗତ ସିଂହଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ସଭାରେ ଉପସ୍ଥିତ ଅତିଥିବୃନ୍ଦ ସ୍ଵର୍ଗତ ମନମୋହନ ସିଂହଙ୍କ ନୀର୍ତି ଓ କୃତ୍ତି ଉପରେ ବିଶଦ ଆଲୋକପାତ କରିଥିଲେ । ସ୍ୱର୍ଗତ ସିଂହଙ୍କ ବ୍ୟକ୍ତିତ୍ଵ, ୧୦ ବର୍ଷର ପ୍ରଧାନମନ୍ତ୍ରୀତ୍ଵ କାଳ ଅର୍ଥମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟଦକ୍ଷତା, ଜୀବନ ସଂଘର୍ଷ ଓ ସଫଳତା ଉପରେ ସମ୍ମାନିତ ବକ୍ତାମାନେ ତାଙ୍କର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଆଜିର ପାକିସ୍ତାନର ଗଛ ଠାରୁ ଦିଲ୍ଲୀର ନିଗମ ବୋର୍ଡ଼ର ଘାଟ ପର୍ଯ୍ୟନ୍ତ ଏକ ଦୀର୍ଘପଥ ଯାତ୍ରାରେ ସମାଜ ପାଇଁ ବିଶେଷକରି ଭାରତବାସୀଙ୍କ ପାଇଁ ଯେଉଁ ସେବା ଅର୍ପଣ କରିଛନ୍ତି, ସେଥିପାଇଁ ସେ ଚିର ସ୍ମରଣୀୟ ରହିବେ । ସେ ଥିଲେ ଭାରତବର୍ଷରେ ଉଦାରବାଦର ଜନକ ବା ପ୍ରବର୍ତ୍ତକ ।

ସେ ତାଙ୍କର ୧୦ ବର୍ଷର ପ୍ରଧାନମନ୍ତ୍ରୀତ୍ବ କାଳରେ ସାଧାରଣ ଜନତାଙ୍କ ପାଇଁ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି । ଲୋକଙ୍କୁ ତାଙ୍କର ନ୍ୟାର୍ଯ୍ୟ ଅଧୁକାର ଦେବା ପାଇଁ ସେ ବିଶେଷକରି ଯୋଜନା ପ୍ରଣୟନ କରୁଥିଲେ । ଦେଶରୁ ଦୁର୍ନୀତିକୁ ମୂଳୋତ୍ପାଟନ କରିବା ପାଇଁ ଏବଂ ସରକାରଙ୍କ ଶାସନ ବିଷୟରେ ସମସ୍ତ ତଥ୍ୟ ଲୋକଲୋଚନକୁ ଆସିବା ଲକ୍ଷ୍ୟରେ ସେ ପ୍ରଣୟନ କଲେ ସୂଚନା ଅଧିକାର ଆଇନ୍। ଏଥିରେ ଜଣେ ସାଧାରଣ ମଣିଷ ରାଷ୍ଟ୍ର ଶାସନର ସମସ୍ତ ଗହନ କଥା ଜାଣିବା ପାଇଁ ଅଧିକାରପ୍ରାପ୍ତ ହେଲା । କ୍ଷୁଧାମୁକ୍ତ ଭାରତ ନିର୍ମାଣ ପାଇଁ ସେ ପ୍ରଣୟନ କରିଥିଲେ ‘ଖାଦ୍ୟ ନିରାପତ୍ତା ଆଇନ୍ ଯେଉଁଥରେ ୮୦ କୋଟି ଲୋକ ଅନ୍ତର୍ଭୁକ୍ତ ହେଲେ, ସହରର ୫୦ ପ୍ରତିଶତ ଏବଂ ଗାଁର ୭୫ ପ୍ରତିଶତ ଲୋକ ଏହି ଯୋଜନା ବଳରେ ରାସନ ସାମଗ୍ରୀ ପାଇପାରିଥିଲେ ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ, ବିଧାୟକ ତାରାପ୍ରସାଦ ବାହିନୀପତି, ବିଜେଡ଼ିର ଅମର ପଟ୍ଟନାୟକ ଓ ଲେନିନ୍ ମହାନ୍ତି, ସିପିଏମ୍‌ର ଦୁଷ୍ମନ୍ତ ଦାସ, ସିପିଆଇର ରାମକୃଷ୍ଣ ପଣ୍ଡା ଓ ଆଶିଷ କାନୁନଗୋ, ସିପିଆଇ (ଏମ୍-ଏଲ) ଲିବରେସନର ଯୁଧୁଷ୍ଠିର ମହାପାତ୍ର, ଆମ୍ ଆଦମୀ ପାର୍ଟିର ସଞ୍ଜୀବ ଦାସ, ଫରୱାର୍ଡ଼ ବ୍ଲକର ଜ୍ୟୋତିରଞ୍ଜନ ମହାପାତ୍ର, ଅର୍ଥନୀତି ବିଶାରଦ ଦିଲ୍ଲୀପ ବିଶୋୟୀ, ରାଜୀବ ସାହୁ, ଅମର ପ୍ରଧାନ, ଶରତ ରାଉତ, ସ୍ବାସିର ନଓ୍ବାଜ, ସିପ୍ରା ମଲ୍ଲିକ, ଅଖଲେଶ ଯାଦବ, ସତ୍ୟପ୍ରକାଶ ନାୟକ ପ୍ରମୁଖ ସ୍ବର୍ଗତ ସିଂହଙ୍କର ସ୍ମୃତିଚାରଣ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!