ନିଆରା ପର୍ବ ଟୋକିମରା ଆଦିବାସୀଙ୍କ ଟୋକିମରା ପର୍ବ।

ରାୟଗଡ଼ (ଗୋପୀନାଥ ଗୌଡ଼): ରାୟଗଡ଼ ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ମାଣ୍ଡିବିସି ପଂଚାୟତ ବାହାର ପଦ ମାଝୀ ଗ୍ରାମ, ସିନ୍ଦୂର ଘାଟି ପଂଚାୟତର ଗଜପଦର ଗ୍ରାମ, ତଳଝିରି ପଂଚାୟତର ସିପିଯୋଡ଼ି, ଏବଂ ମୁନୁସ ଗ୍ରାମ ପଂଚାୟତର ତୁଜେର ଗ୍ରାମ, ଚଳିତ ବର୍ଷ ପୌଷ ପୁନେଇ ଅବସରରେ ଟୋକିମରା ପର୍ବ ପାଳିତ ହୋଇଯାଇଛି। ଦୀର୍ଘ ବର୍ଷ ଧରି କାଶିପୁର ବ୍ଲକ ପେଙ୍ଗ ଆଦିବାସୀଙ୍କ ପାରମ୍ପରିକ ଟୋକିମରା ପର୍ବ ପାଳନ ଆରମ୍ଭ ହୋଇଯାଇଛି। ଗ୍ରାମରେ ଥିବା ଝାଙ୍କିରି ଗୁଡ଼ି ଘର ଗୁଡ଼ିକୁ ରଙ୍ଗ ବେରଙ୍ଗରେ ଆଙ୍କିବା ସହ ନିଜ ସଂସ୍କୃତି ପରମ୍ପରା ର ଚିତ୍ରମାନ ଆଙ୍କିଥିବା ଦେଖିବା ପାଇଁ ମିଳୁଛି।

ମାନ୍ୟତା ରହିଛି ଧରଣୀପେନୁ ଙ୍କ ପୁଜା ପ୍ରାର୍ଥନା ଓ ଉପାସନା କରିବା ଦ୍ୱାରା ଗ୍ରାମରେ ସୁଖ ଶାନ୍ତି ଓ ଗ୍ରାମରେ ବସବାସ କରୁଥିବା ସମସ୍ତ ଗ୍ରାମବାସୀ ନିରୋଗ ରୁହନ୍ତୁ ଏହା ପ୍ରାର୍ଥନା ଓ ମନସ୍କମନା କରନ୍ତି। ଅଧିକାଂଶ ଗ୍ରାମବାସୀ ଚାଷ ଉପରେ ନିର୍ଭର କରୁଥିବା ବେଳେ, ପରିଶ୍ରମ ର ପାରିଶ୍ରମିକ ଠିକ୍ ମିଳୁ ଏହି ପ୍ରାର୍ଥନା ରହିଥାଏ ଧରଣୀ ପେନୁଙ୍କ ପାଖରେ। ଭଲ ଫସଲ ଅମଳ ପାଇଁ ରବିବାର ସକାଳ ୧୦ଟା ସୁଦ୍ଧା ଧରଣୀପେନୁଙ୍କ ଉଦ୍ଦେଶ୍ୟରେ ଗ୍ରାମରେ ସ୍ଥାପିତ ଧରତୀପଦା ପୂଜାସ୍ଥଳରେ ମେଣ୍ଢା ଛୁଆ ବଳି ଦେବାର ବିଧି ରହିଛି। ବିଭିନ୍ନ ଗ୍ରାମର ଧରଣୀରୁ ଆସିଥିବା ଟାଙ୍ଗିଆ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରକୁ ମେଣ୍ଢା ରକ୍ତରେ ଭିଜାଇବା ସହ ମାଂସକୁ କାଟି ନେଇଥାନ୍ତି।

ଏହି ମାଂସ ଟୁକୁରା ଚାଷ ଜମିରେ ପୋତିବା ସହ ନିଜ ଘରେ ରଖିଲେ ଶୁଭ ଫଳ ମିଳିବାର ଲୋକଙ୍କ ବିଶ୍ୱାସ ରହିଛି । ରାଜା ରାଜୁଡ଼ା ଅମଳରୁ ପାଳନ ହୋଇ ଆସୁଥିବା ଟୋକିମରା ପର୍ବ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ଏବଂ କାଶୀପୁର ବ୍ଲକର କିଛି ପଞ୍ଚାୟତରେ ପାଳନ କରାଯାଉଛି। ଚଳିତ ବର୍ଷ କାଶୀପୁର ବ୍ଲକର ଛଟିଗୁଡ଼ା, ତୁଜେର, ସିପିଯୋଡ଼ି, ଭେଜାପଦର ଏବଂ ବାହାର ପଦାମାଜି ଗ୍ରାମରେ ଟୋକିମରା ପର୍ବ ଅବସରରେ ପୂଜାସ୍ଥଳରେ ମେଣ୍ଢାକୁ ଛୁରିରେ ଭୂଷି ବଳି ଦେଇ ଧରଣୀ ପେନୁକୁ ସନ୍ତୁଷ୍ଟ କରାଯିବ ବୋଲି ଜଣାପଡ଼ିଛି। ପର୍ବ ପାଳନ ଅବସରରେ ଗାଁ ବାହାରେ ରହୁଥିବା ଶ୍ରମିକ, ଛାତ୍ରଛାତ୍ରୀ ବନ୍ଧୁ ବାନ୍ଧବ କୁଣିଆ ଏବଂ ସଂପର୍କୀୟ ମାନେ ଘରକୁ ଆସିଥାଆନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!