ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା, ଘଟୁଛି ଦୁର୍ଘଟଣା।

ରାୟଗଡ଼ (ଗୋପୀନାଥ ଗୌଡ଼): ରାୟଗଡ଼ ସହରରେ ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଫେଲ୍ ମାରିଛି। ଦୁର୍ଘଟଣାକୁ ରୋକିବା ପାଇଁ ଅନେକ ସ୍ଥାନରେ ସାଇନ୍ ବୋର୍ଡ ଓ ଦର୍ପଣ ଲାଗିନାହିଁ। ଅନେକ ସ୍ଥାନରେ ସିସିଟିଭି କ୍ୟାମେରା ସହରରେ ଲାଗିଥିବା ସତ୍ତ୍ୱେ, ଦୁର୍ଘଟଣାକୁ ରୋକା ଯାଇ ପାରୁନି। ଏପରିକି ଦୃତ ଗତିରେ ଯାଉଥିବା ଗାଡ଼ି ଚାଳକ ମାନଙ୍କ ବେପରୁଆ ଭାବେ ଗାଡ଼ି ଚଳାଉଥିବା ହେତୁ ନିରୀହ ଧନ ଜୀବନ ନଷ୍ଟ ହେଉଥିବା ନଜିରକୁ ଆସିଛି। ସେହିଭଳି ଆଜି ମା ମଝିଘରିଆଣୀ ମନ୍ଦୀର ଅଣ୍ଡର ପାସ୍ ରୁ ଉପରକୁ ଆସୁଥିବା ଏକ ୱାଗନର୍ କାର କୁ ଛତିଶଗଡ଼ର ଏକ ମାଲ୍ ବୋଝେଇ ଟ୍ରକ ଧକ୍କା ଦେଇଥିଲା।

ଭାଗ୍ୟ ବଶତଃ କିଏ ଆହତ ହୋଇ ନ ଥିବା ସ୍ଥଳେ ୱାଗନର କାର ଟିର ସାମ୍ନା ପଟ ସମ୍ପୂର୍ଣ୍ଣ ଭାବେ କ୍ଷତି ଗ୍ରସ୍ତ ହୋଇଯାଇଛି। ଆନ୍ଧ୍ର ପ୍ରଦେଶରୁ ଆସିଥିବା କୋରଡ଼ା ପ୍ରାସାଦ ରାଓ ନାମକ ଜଣେ ବ୍ୟକ୍ତି AP ୩୧ DV ୬୯୯୨ ଲାଲ ରଙ୍ଗର ୱାଗନର କାର ଧରି ବବିଲିରୁ ମା ମଝିଘରିଆଣିଙ୍କ ଦର୍ଶନ କରିବା ପାଇଁ ଆସିଥିଲେ। ମଝିଘରିଆଣି ଙ୍କ ଦର୍ଶନ ସାରି ଫେରିଲା ବେଳକୁ ମନ୍ଦିର ଅଣ୍ଡର ପାସ୍ ଉଠାଣିରେ କାର ଉପରକୁ ଆସୁଥିବା ବେଳେ, ଅନ୍ୟପଟୁ ଗୋଟିଏ ଟ୍ରକ ଧକ୍କା ଦେଇଥିଲା। ଟ୍ରକଟି ଛତିଶଗଡ଼ର ବୋଲି ଜଣାପଡିଛି। ବାରମ୍ବାର ଉକ୍ତ ସ୍ଥାନରେ ଦୁର୍ଘଟଣା ଘଟୁଥିଲେ ସୁଦ୍ଧା, ପୁଲିସ ପକ୍ଷରୁ କିମ୍ୱା ମଝିଘରିଆଣି ମନ୍ଦିର ପରିଚାଳନା କମିଟି ପକ୍ଷରୁ କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।

ଅନ୍ୟପଟେ ସଂକୀର୍ଣ୍ଣ ରାସ୍ତା ସାଙ୍ଗକୁ ରାସ୍ତା ଅବରୋଧ କରି କିଛି ବ୍ୟବସାୟୀ ନିଜର ଦୋକାନ ଗୁଡ଼ିକ ରାସ୍ତା ଉପରେ ଆଣିଦେବା ଦ୍ଵାରା ଯାତାୟାତରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଜନ ସାଧାରଣ ଏବଂ ଗାଡ଼ି ଚାଳକ। ଅତିଶୀଘ୍ର ଏହିଭଳି ସମସ୍ୟା ଗୁଡ଼ିକର ସମାଧାନ ନ ହେଲେ, ଆଗାମୀ ଦିନରେ ବହୁତ୍ ବଡ ବିପଦକୁ ଆମନ୍ତ୍ରଣ କରିବା ସମ୍ଭାବନା ଅଧିକ ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *

error: Content is protected !!