ରାୟଗଡା ବିଧାୟକଙ୍କ କାଶୀପୁର ଗସ୍ତ ଏବଂ ମାଁ ଭଗବତୀ SSG କେନ୍ଦ୍ର ପରିଦର୍ଶନ

ରାୟଗଡା (ଗୋପୀନାଥ ଗୌଡ଼):ଗତ ୫ ତାରିଖ ଦିନ କାଶୀପୁର ସ୍ଥିତ ଡ଼ମ୍ବ ସାହିରେ ଏକ ୭୦ ବର୍ଷୀୟା ଅସହାୟ ବିଧବା ବୃଦ୍ଧାଙ୍କ ଘର କୌଣସି କାରଣରେ ସମ୍ପୂର୍ଣ ଜଳି ଯାଇଥିଲା। ଘଟଣାରେ ବୃଦ୍ଧା ଜଣକ ଓ ତିନି ନାତିନାତୁଣୀ ସହାୟତା ନିମନ୍ତେ ପ୍ରଶାସନକୁ ଗୁହାରି କରିଥିଲେ। ସମ୍ପୃକ୍ତ ଘଟଣା ଗଣମାଧ୍ୟମରେ ପ୍ରସାର ପ୍ରଚାର ହେବା ପରେ ଆଜି ରାୟଗଡା ବିଧାୟକ ଶ୍ରୀ ଆପାଲା ସ୍ୱାମୀ କାଡ୍ରାକା କାଶୀପୁର ଗସ୍ତରେ ଆସି ଅସହାୟ ପରିବାରକୁ ସହାୟତାର ହାତ ବଢ଼େଇଛନ୍ତି।

କାଶୀପୁରରେ ଅସହ୍ୟ ଶୀତ ହେଉଥିବା ଜାଣି ପରିବାର ପାଇଁ ସିତ ବସ୍ତ୍ର, କମ୍ବଳ , ଶାଢ଼ୀ ଏବଂ ଚାଉଳ ଓ କିଛି ଆସବା ପତ୍ର ସାମଗ୍ରୀ ପ୍ରଦାନ କରିଥିଲେ। ସମ୍ପୂର୍ଣ କ୍ଷୟକ୍ଷତିକୁ ଅନୁମାନ କରି ବ୍ଲକ ପ୍ରଶାସନ ଓ ତହସିଲ ଅଧିକାରୀଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାପାଇଁ ନିର୍ଦେଶ ଦେଇଥିଲେ। ବିଧାୟକ ନିଜ ପକ୍ଷରୁ ଯଥାସମ୍ଭବ ସହଯୋଗ କରିବେ ବୋଲି ବିଧବା ବୃଦ୍ଧାଙ୍କୁ କହିଥିଲେ।ଅନ୍ୟପଟେ ଶ୍ରୀ କାଡ୍ରାକା ଉକ୍ତ ସାହୀ ସ୍ଥିତ ମାଁ ଭଗବତୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ଶିଶୁ ଖାଦ୍ୟ ଛତୁଆ ପ୍ରସ୍ତୁତ କେନ୍ଦ୍ରକୁ ପରିଦର୍ଶନ କରିଥିଲେ।

ଶିଶୁ ଖାଦ୍ୟ ଛତୁଆ ପ୍ରସ୍ତୁତ ସମୟରେ ସ୍ୱୟଂ ସହାୟିକା ମହିଳା ମାନେ କେଉଁପ୍ରକାର ପରିଷ୍କାର ପରିଚ୍ଛନ୍ନତା ଅବଲମ୍ବନ କରୁଛନ୍ତି ଏବଂ ଛତୁଆ ପ୍ରସ୍ତୁତି ସାମଗ୍ରୀ ଓ କେଉଁ ମାନର ଛତୁଆ ପ୍ରସ୍ତୁତି କରାଯାଉଛି ଏହାର ଟିକିନିକି ତଥ୍ୟ ପଚାରି ବୁଝିଥିଲେ।ଏହି ଅବସରରେ ବିଧାୟକ ଙ୍କ ସହ ସଂସଦ ପ୍ରତିନିଧି ସାନ୍ଧୁଚରଣ ମାଝୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଜସେଫ ଖସଲା, ବ୍ଲକ ସଭାପତି ଅଙ୍ଗଦ ନାଏକ, ବ୍ଲକ ଯୁବ ସଭାପତି ଜିଝରୁ ମାଝୀ, ରାଜ୍ୟ କୃଷକ ସେଲ ସମ୍ପାଦକ ପି. ଦେବେନ୍ଦ୍ର ରାଓ, ଜୟନ୍ତ ବୋଇଠାରୁ, ରାଜେନ୍ଦ୍ର ନାଏକ, ସୁନାସିଂ ମାଝୀ,ପାଇଲ ମାଝୀ, କୁନାପାଢୀ ନାଏକ, ମିଥୁନ ନାଏକ, ବ୍ଲକ ନାରୀ ସଭାନେତ୍ରୀ ଗୌରୀ ନାଏକ ଓ ଅନ୍ୟ ପ୍ରମୁଖ କଂଗ୍ରେସ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!