ଭୁବନେଶ୍ବର(ସମୀର ରଞ୍ଜନ ନାୟକ) :ମାହାଙ୍ଗା ଡବଲ ମର୍ଡର ଘଟଣା ନେଇ ଏବେ ପୁଣି ବଢିଛି ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ । ମାମଲାକୁ ପୁଣି ବିଚାର କରିବା ପାଇଁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ଏଥିସହିତ ଏହି ଘଟଣାକୁ ନେଇ ରାଜ୍ୟସରକାରଙ୍କୁ ଜବାବା ତଲବ ମଧ୍ୟ କରିଛନ୍ତି ସର୍ବୋଚ୍ଚ କୋର୍ଟ । ୪ ସପ୍ତାହ ମଧ୍ୟରେ ରାଜ୍ୟ ସରକାର ଏହା ଉପରେ ଜବାବ ରଖନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଯାହାକୁ ନେଇ ଏବେ ପୁଣି ପ୍ରତାପ ଜେନାଙ୍କ ଅଡୁଆ ବଢିଛି । ଏହାକୁ ନେଇ ରାଜ୍ୟ ସରକାର କି ଆଭିମୁଖ୍ୟ ଗ୍ରହଣ କରିବେ ତା ଉପରେ ଏବେ ନଜର ରହିଛି ।ଯଦି ପୂର୍ବ ଖବରକୁ ମନେପକାଇବା ତେବେ, ମାହାଙ୍ଗା ଡବଲ ମର୍ଡର ଘଟଣାରେ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ଘଟିଥିଲା ।
ଏହି ଘଟଣାରେ ଅଭିଯୋଗକାରୀ ମୃତ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ୧୩ଜଣଙ୍କ ନାଁରେ ଆଭିଯୋଗ କରିଥିଲେ । ୧୩ଜଣ ଅଭିଯୁକ୍ତଙ୍କ ମଧ୍ୟରେ ୨ଜଣଙ୍କୁ ଗିରଫ କରାଯାଇଥିଲା । ଏତଲା ଅନୁସାରେ ୧୩ତମ ଆଭିଯୁକ୍ତ ଥିଲେ ବିଧାୟକ ପ୍ରତାପ ଜେନା । ହେଲେ ପରବର୍ତ୍ତି ସମୟରେ ବିଧାୟକଙ୍କ ନାଁକୁ ଏଫଆଇଆରରୁ ହଟାଇଦିଆଯାଇଥିଲା । ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆଭିଯୋଗକାରୀ ରମାକାନ୍ତ । ଏହି ମାମଲାର ଶୁଣାଣି କରି ମାମଲାର ପୁନଃ ତଦନ୍ତ କରି ଚାର୍ଜସିଟ୍ କରିବାକୁ ମାହାଙ୍ଗା ଥାନା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର ଜେଏମଏଫସି ।ସେହିବର୍ଷ ଅଗଷ୍ଟ ମାସରୁ ଏହି ନିର୍ଦ୍ଦେଶ ଦିଆଯାଇଥିଲେ ବି ସମୟ ଗଡାଇଚାଲିଥିଲା ପୋଲିସ ।
ଏହାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ କୋର୍ଟ । ସେହିବର୍ଷ ନଭେମ୍ବର ୨୫ତାରିଖ ସୁଦ୍ଧା ଚାର୍ଜସିଟ୍ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଦୁର୍ଭାଗ୍ୟର ବିଷୟ ଡିସେମ୍ବର ୯ରେ ଏତଲାକାରୀ ରମାକାନ୍ତ ବରାଳଙ୍କର ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଥିଲା । ଏହାପରେ ବାପାଙ୍କ ମୃତ୍ୟୁ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ କରିବା ପାଇଁ ମୃତ କୁଳମଣି ବରାଳଙ୍କ ପୁଅ ରଞ୍ଜିତ ବରାଳ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ । ଯାହାକୁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ ।