କେନ୍ଦୁଝରଠାରେ ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ

କେନ୍ଦୁଝର (ସୀତାରାମ ଦୀକ୍ଷିତ): ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅନ୍ତର୍ଗତ ଏକ ଜିଲ୍ଲାସ୍ତରୀୟ ମେଗା ଶିବିର ତଥା ସହାୟତା ବଣ୍ଟନ କାର୍ଯ୍ୟକ୍ରମ ଆଜି ୦୩.୦୨.୨୦୨୫ ଦିନ ପୂର୍ବାହ୍ନ ୧୧.୦୦ ଟାରେ କେନ୍ଦୁଝରର ସଂସ୍କୃତି ଭବନରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମାନ୍ୟବର ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶରାମ ସିଂଖୁଣ୍ଟିଆ ଉଦଘାଟନ କରି ନିର୍ମାଣ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲା ବେଳେ ସାମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ତେଲକୋଇ, ଡକ୍ଟର ଫକୀର ମୋହନ ନାଏକ, ମାନ୍ୟବର ବିଧାୟକ ପାଟଣା ଶ୍ରୀଯୁକ୍ତ ଅଖିଳ ଚନ୍ଦ୍ର ନାଏକ, କେନ୍ଦୁଝର ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ, ମାନ୍ୟବର ସାଂସଦ କେନ୍ଦୁଝରଙ୍କ ପ୍ରତିନିଧି ଶ୍ରୀଯୁକ୍ତ ହରିହର ମହାନ୍ତ, ମାନ୍ୟବର ବିଧାୟକ ଚମ୍ପୁଆଙ୍କ ପ୍ରତିନିଧି ଶ୍ରୀଯୁକ୍ତ ସଞ୍ଜୀବ କୁମାର ବେହେରା, ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀଯୁକ୍ତ ବିବେକାନନ୍ଦ ମହାନ୍ତ ପ୍ରମୁଖ ଯୋଗଦେଇଥିଲେ।

ଏହି ଅବସରରେ, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ ୫୬୭ ଜଣ ଯୋଗ୍ୟ ହିତାଧିକାରୀ ଏବଂ ସେମାନଙ୍କ ନୋମିନି ମାନଙ୍କୁ ମୋଟ (୩,୦୫,୧୦,୨୦୦ /- )ତିନି କୋଟି ପାଞ୍ଚ ଲକ୍ଷ ଦଶ ହଜାର ଦୁଇଶହ ଟଙ୍କାର ବିଭିନ୍ନ ସହାୟତା ପ୍ରଦାନ କରାଯାଇଥିଲା, ଯେଉଁଥିରେ ୧୯୮ ଜଣଙ୍କୁ ଶିକ୍ଷା ସହାୟତା ବାବଦକୁ ୧୭,୨୫,୨୦୦ /- ଟଙ୍କା, ୯୫ ଜଣଙ୍କୁ ମୃତ୍ୟୁ ସହାୟତା ବାବଦରେ ୧,୯୦,୦୦,୦୦୦ /- ଟଙ୍କା, ୭୯ ଜଣଙ୍କୁ ଶବଦାହ ବାବଦରେ ୩,୯୫,୦୦୦ /- ଟଙ୍କାର ସହାୟତା,୧୮୫ ଜଣଙ୍କୁ ବିବାହ ସହାୟତା ବାବଦରେ ୯୩,୦୦,୦୦୦ /- ଟଙ୍କା ଏବଂ ୯ ଜଣଙ୍କୁ ମାତୃତ୍ୱ ସହାୟତା ବାବଦରେ ୯୦,୦୦୦/- ଟଙ୍କା ପ୍ରଦାନ କରାଯାଇଥିଲା । ୨୦୦ ଜଣ ଯୋଗ୍ୟ କୋଠା ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା। ସଚେତନତା ସୃଷ୍ଟି ପାଇଁ, ଶ୍ରମ ବିଭାଗର ବିଭିନ୍ନ କାର୍ଯ୍ୟକଳାପ ଏବଂ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ ସାଧାରଣ ଜନତାଙ୍କ ମଧ୍ୟରେ ଲିଫଲେଟ୍ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୪୦୦ ରୁ ଅଧିକ ଶ୍ରମିକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ସୂର୍ଯ୍ୟ ନାରାୟଣ ମାଳି ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!