କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ): ଚମ୍ପୁଆ ସ୍ଥିତ ଧରଣୀଧର ନଗର ଭବନ ଠାରେ ଚମ୍ପୁଆ ବନାଞ୍ଚଳ ପକ୍ଷରୁ ନିଆଁ ଦାଉରୁ କିପରି ଜଙ୍ଗଲକୁ ସୁରକ୍ଷା ଦିଆଯାଇ ପାରିବ ସେ ସମ୍ପର୍କରେ ଜଙ୍ଗଲ ନିଆଁ ନିୟନ୍ତ୍ରଣ ସଚେତନତା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଚମ୍ପୁଆ ବନାଞ୍ଚଳ ଅଧିକାରୀ ଏସିଏଫ୍ ଅକ୍ଷୟ ଛତ୍ରୀୟାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡା, ସମ୍ମାନୀତ ଅତିଥିଭାବେ ନିକଲସନ ବନ ବିଦ୍ୟାଳୟ ଡିସିଏଫ୍ ରାମଚନ୍ଦ୍ର ଗୁରୁ, ମାଷ୍ଟର ଟ୍ରେନର ସୁବ୍ରତ ବିଶ୍ୱାଳ, ଚମ୍ପୁଆ ତହସିଲ ସୁପରଭାଇଜର ଶୁଭକାନ୍ତ କର, ରଜିଆ ସରପଞ୍ଚ ସନ୍ତୋଷ ନାଏକ, କେନ୍ଦୁଝର ସାଂସଦ ଚମ୍ପୁଆ ପ୍ରତିନିଧି ସିଦ୍ଧାର୍ଥ କୁମାର ସିଂ ପ୍ରମୁଖ ଯୋଗଦେଇ ନିଆଁ ଦାଉରୁ କିପରି ଜଙ୍ଗଲକୁ ସୁରକ୍ଷା କରାଯାଇ ପାରିବ ସେ ସମ୍ପର୍କରେ ସଚେତନ ବାର୍ତ୍ତା ନିଜ ନିଜ ଅଭିଭାଷଣରେ ପ୍ରଦାନ କରିବା ସହିତ ଜଙ୍ଗଲକୁ ନଷ୍ଟ କରିବା ଦ୍ୱାରା ପରିବେଶ ନଷ୍ଟ, ମୃତ୍ତିକା କ୍ଷୟ, ବର୍ଷାର ଅଭାବ, ଜଙ୍ଗଲୀ ଜୀବ ଜନ୍ତୁ ହ୍ରାସ ତଥା ଜଙ୍ଗଲ କ୍ଷୟ କାରଣରୁ ଜଙ୍ଗଲୀ ଜୀବ ଜନ୍ତୁ ଗ୍ରାମାଭିମୁଖି ହୋଇ ଧନ ଜୀବନ ନଷ୍ଟ ହେଉଛି।
ତେଣୁ ଜଙ୍ଗଲକୁ ନଷ୍ଟ ନ କରି ପଡିଆ ଜମିକୁ ଖୋଲା ନ ରଖି ନୂତନ ଜଙ୍ଗଲ ସୃଷ୍ଟି କରି ପରିବେଶକୁ ସୁସ୍ଥ ରଖିବା ସହିତ ଜଙ୍ଗଲୀ ଜୀବ ଜନ୍ତୁଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିବା ସହିତ ଜଙ୍ଗଲ ନିଆଁ କୁ ନିୟନ୍ତ୍ରଣ ଓ ଜଙ୍ଗଲ ସୁରକ୍ଷା ଉପରେ ଉପସ୍ଥିତ ବ୍ୟକ୍ତି ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଏଲସିଡି ମାଧ୍ୟମରେ ଜଙ୍ଗଲରେ ଶିକାର କରିବା, ନିଆଁ ଲଗାଇବା ଉପରେ ରହିଥିବା ଦଣ୍ଡ ଓ ନିଆଁ ଲିଭାଇବାରେ ସହଯୋଗ କଲେ ପୁରସ୍କାର ପ୍ରଦାନ କରାଯିବା ସମ୍ପର୍କରେ ଉପସ୍ଥିତ ଲୋକମାନଙ୍କୁ ସୂଚନା ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ଚମ୍ପୁଆ ବନପାଳ ସୁନିତା ବାଘେଲ ପରିଚାଳନା କରିଥିବା ବେଳେ ଚମ୍ପୁଆ ସେକ୍ସନର ସମସ୍ତ ବନ କର୍ମଚାରୀ ସହଯୋଗ କରି ଥିଲେ। ଏହି କର୍ମଶାଳାରେ ଚମ୍ପୁଆ ବନାଞ୍ଚଳର ସମସ୍ତ ସେକ୍ସନର ବନପାଳ, ବନରକ୍ଷୀଙ୍କ ସମେତ କାର୍ଯ୍ୟରତ ଗଜସାଥି ଓ ବନ ସୁରକ୍ଷା ସମିତିର ସମସ୍ତ ସଦସ୍ୟ ଏବଂ ଚମ୍ପୁଆ ବ୍ଲକର ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ବୁଦ୍ଧିଜୀବୀଙ୍କ ସମେତ ଶତାଧିକ ଜନସାଧାରଣ ଯୋଗ ଦେଇଥିଲେ।