ଖଲିଆପାଲି ଭୀମଭୋଇ ମହିମା ପୀଠର ତୃତୀୟ ସନ୍ଧ୍ୟା

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ମହିମା ଧର୍ମର ଅନନ୍ୟ ପୀଠସ୍ଥଳୀ ସୁବର୍ଣ୍ଣପୁର ଜିଲ୍ଲାର ଖଲିଆପାଲିର ଭୀମଭୋଇ ସମାଧି ପୀଠରେ ଆରମ୍ଭ ହୋଇଥିବା ପବିତ୍ର ମାଘମେଳାର ତୃତୀୟ ସନ୍ଧ୍ୟା ମହିମାଧର୍ମୀ ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ଉତ୍ସବମୁଖର । ଉପଜିଲ୍ଲାପାଳ ସୋନପୁର ଡ଼ଃ ସୋମ୍ୟାରୁପା ରଥଙ୍କ ସଭାପତିତ୍ୱରେ ତୃତୀୟ ସନ୍ଧ୍ୟାରେ ଅନୁଷ୍ଠିତ ସାରସ୍ୱତ ସମାରୋହରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାମ ପ୍ରସାଦ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାଏକ,ମନ୍ଦିର ଟ୍ରଷ୍ଟି ଛତ୍ରଧାରୀ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇ ଭୀମଭୋଇଙ୍କ ଜୀବନ ଦର୍ଶନ ଓ ସାହିତ୍ୟ କୃତୀ ଉପରେ ଆଲୋକପାତ କରିଥିଲେ।

ଏହି ସମାରୋହ ଅବସରରେ ଅତିଥି ବୃନ୍ଦ ମହିମା ପୀଠ ଦ୍ୱାରା ପ୍ରସ୍ତୁତ ପୁସ୍ତକ ମହିମା ର ଶୁଭ ଉନ୍ମୋଚନ କରିଥିଲେ। ସନ୍ଥ ଭୀମଭୋଇ ସମାଧି ପୀଠ ଟ୍ରଷ୍ଟ ଦ୍ୱାରା ଭୀମ ଭୋଇ ସ୍ମୃତି ସମ୍ମାନ ରେ ପଣ୍ଡିତ ଦୈତାରୀ ପଣ୍ଡା, ଭୀମଭୋଇ ମହିମା ସମ୍ମାନରେ ସାଧୁ ପ୍ରଭାକର ଦାସ, ଭୀମଭୋଇ ସାହିତ୍ୟ ସମ୍ମାନରେ ଶ୍ରୀମତୀ ମୀନା କୁମାରୀ ମହାରଣା, ଭୀମଭୋଇ କଳା ସମ୍ମାନରେ ଶ୍ରୀମତୀ ତିଲୋତ୍ତମା ସାହୁ, ଭୀମଭୋଇ ଯୁବ ପ୍ରତିଭା ସମ୍ମାନରେ ଶ୍ରୀ ସିଦ୍ଧାର୍ଥ ଅଗ୍ରୱାଲ, ଭୀମ ଭୋଇ କ୍ରୀଡା ସମ୍ମାନରେ ସୁଶ୍ରୀ ପ୍ରୀତି ମହାକୁଡ଼ ପ୍ରମୁଖ ଙ୍କୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା।

ଚତୁର୍ଦଶୀ ସନ୍ଧ୍ୟାରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ, ମହିମା ଧର୍ମୀ ସମାଧିମନ୍ଦିରରେ ସନ୍ଥ ଭୀମଭୋଇଙ୍କ ସମାଧିର ଦିବ୍ୟ ଦର୍ଶନ କରିଥିଲେ। ଏହି ଅପୂର୍ବ ଦିବ୍ୟ ଆଧ୍ୟାତ୍ମିକ ଦର୍ଶନ ନିମନ୍ତେ ଆଜି ପୁର୍ଣିମା ତିଥିରେ ମଧ୍ୟ ସମାଧି ମନ୍ଦିର ସର୍ବସାଧାରଣ ତଥା ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲା ରହିଥିଲା । ଟ୍ରଷ୍ଟ ତରଫରୁ ଅନୁଷ୍ଠିତ ବିଭିନ୍ନ ସ୍କୁଲ ସ୍ତରୀୟ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀଙ୍କୁ ଅତିଥି ବୃନ୍ଦ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ମାନଭଞ୍ଜନ ମିଶ୍ର ସଂଯୋଜନା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!
Powered by Joinchat