କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ): ଚନ୍ଦ୍ରଶେଖର ଶିବ ମନ୍ଦିରରୁ ଚୋରି ମାମଲାର ବିଚାର କରି ଚମ୍ପୁଆ ମାନ୍ୟବର ଚମ୍ପୁଆ ଏସଡି ଜେଏମ ଅଭିଯୁକ୍ତକୁ ତିନି ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନାଯୋଗ୍ୟ କି ଗତ ଦୁଇହଜାର ଉଣେଇଶ ମସିହା ଏପ୍ରିଲ ୨୮ ତାରିଖରେ ଚମ୍ପୁଆସ୍ଥିତ ଶିବମନ୍ଦିରର କବାଟ ଭାଙ୍ଗି ମନ୍ଦିର ଭିତରୁ ଇନଭଟର ଓ ବ୍ୟାଟେରି ଚୋରି ହୋଇଥିଲା। ଏନେଇ ମନ୍ଦିରର ପୂଜକ ମୃଣାଳକାନ୍ତି ନନ୍ଦ ୨୯ ତାରିଖରେ ଚମ୍ପୁଆ ଥାନାରେ ଅଭିଯୋଗ କରିଥିଲେ।
ଏହି ମାମଲାରେ ଚମ୍ପୁଆ ପୋଲିସ ଚମ୍ପୁଆ ଅଞ୍ଚଳର ମଧୁ ନାଏକ ଓ ରିଙ୍କୁ ନାଏକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଏହି ମାମଲାର ବିଚାର କରି ଚମ୍ପୁଆ ମାନ୍ୟବର ଏସଡିଜେଏମ ଦିପକ କୁମାର ସାଥୁଆ ଆଠଜଣ ସାକ୍ଷ୍ୟଙ୍କ ବୟାନକୁ ଭିତ୍ତିକରି ଆସାମି ରିଙ୍କୁ ନାଏକଙ୍କୁ ତିନି ବର୍ଷ ଜେଲଦଣ୍ଡ ସହ ତିନି ହଜାର ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି । ପ୍ରମାଣ ଅଭାବରୁ ଅନ୍ୟତମ ଅଭିଯୁକ୍ତ ମଧୁ ନାଏକଙ୍କୁ ଖଲାସ କରିଛନ୍ତି ।