ରାୟଗଡା (ଗୋପୀନାଥ ଗୌଡ଼) : ରାୟଗଡ଼ା ନ୍ଯୁ କଲୋନୀରେ ଗତ ୬ ତାରିଖରେ ସ୍କୁଟି ସହ ଡିକିରେ ୮ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ରାୟଗଡ଼ା ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି। ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ , ସେମାନଙ୍କ ଠାରୁ ମାତ୍ର ଏକ ଲକ୍ଷ ୭୪ ହଜାର ଟଙ୍କା, ଗୋଟିଏ ସ୍କୁଟି, ଗୋଟିଏ ମୋଟର ସାଇକଲ, ଗ୍ଯାସ ଚୁଲା ଓ ସିଲିଣ୍ଡର ଜବତ କରିଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ରାୟଗଡା ପିଟିଲା ସାହିର ଭୀମୁଡୁ ହୁଇକା, କିଶୋର ମାଣ୍ଡାଙ୍ଗି ଓ ରିଣ୍ଟୁ କାଡ୍ରାକା। ଗତ ୬ ତାରିଖରେ ରାୟଗଡ଼ା ବାସିନ୍ଦା ଟି.ଗୈରୀ ଶଙ୍କର ରାଓ ନିଜ ସ୍କୁଟିକୁ ଜନଗହଳିପୂର୍ଣ୍ଣ ନିୟୁ କଲୋନୀ ରାସ୍ତାରେ ରଖି ଏକ ଦୋକାନକୁ ଯାଇଥିଲେ।
କିଛି ସମୟ ପରେ ଆସି ଦେଖିଲା ବେଳକୁ, ତାଙ୍କର ସ୍କୁଟି ନେଇ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ସେହି ସ୍କୁଟି ଡିକିରେ ୮ ଲକ୍ଷ ଟଙ୍କା ଓ ଜରୁରି କାଗଜ ପତ୍ର ରଖିଥିଲେ। ସେ ବହୁ ଖୋଜାଖୋଜି ପରେ ଟଙ୍କା ଓ ଗାଡ଼ି ନ ମିଳିବାରୁ ରାୟଗଡ଼ା ଥାନାରେ ଏତଲା ଦେଇଥିଲେ। ପୁଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଦିନକ ପରେ ଝଞ୍ଜାବତୀ ନଦୀରୁ ସ୍କୁଟରକୁ ଉଦ୍ଧାର କରିଥିଲା ପୁଲିସ। ହେଲେ ଟଙ୍କା ମିଳିନଥିଲା । ଏହାର ଅନୁସନ୍ଧାନ କରି ପୁଲିସ ତିନି ଅଭିଯୁକ୍ତଙ୍କୁ ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଅଞ୍ଚଳରୁ ଗିରଫ କରିଛି । ସେମାନଙ୍କୁ ପଚରାଉଚରା ବେଳେ , ସ୍କୁଟି ସହ ଟଙ୍କା ଲୁଟ କରିଥିବା ସ୍ବୀକାର କରିଛନ୍ତି।
ସେହିଦିନ ତିନିଜଣ ଅଭିଯୁକ୍ତ ସ୍କୁଟି ଚୋରି କରିବା ପରେ ଡିକି ଭାଙ୍ଗି ସମସ୍ତ ଟଙ୍କା ଲୁଟି ନେଇଥିଲେ। ତାପରେ ସ୍କୁଟିକୁ ଝଞ୍ଜାବତୀ ନଦୀରେ ଫିଙ୍ଗି ଦେଇଥିଲେ ବୋଲି ପୁଲିସ ଆଗରେ ମାନିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଏହି ଘଟଣାରେ ଅନ୍ଯ ଦୁଇ ଜଣ ଅଭିଯୁକ୍ତ ସଂପୃକ୍ତ ଅଛନ୍ତି। ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଟାଉନ୍ ଥାନା ଅଧିକାରୀ ଜେକେବିକେ କଁହର କହିଛନ୍ତି। ଆଜି ଗିରଫ ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।