ଜଗତସିଂହପୁର/ବିରିଡ଼ି (ଦୀପକ୍ କୁମାର ଭୋଇ) : ଏକ ହତ୍ୟା ମାମଲାର ବିଚାର କରି ଜଗତସିଂହପୁର ଜିଲ୍ଲା ଦୌରାଜଜ ଶ୍ରୀନିବାସ ପ୍ରତିହାରୀ ବିରିଡ଼ି ବ୍ଲକ ଶଙ୍କରପୁର ଗ୍ରାମର ସୁନୀଲ କୁମାର ସ୍ୱାଇଁ ଓରଫ (ମିଟୁ ) ଓ ନୃସିଂହ ଚରଣ ବେହେରା ଓରଫ ( ଚଗଲା ) ଙ୍କୁ ଆଜୀବନ କାରା ଦଣ୍ଡାଦେଶ ଶୁଣାଇଛନ୍ତି। ମୋଟ ଅଠର ଜଣଙ୍କ ସାକ୍ଷୀ ପ୍ରମାଣ ଆଧାରରେ କୋର୍ଟଙ୍କ ପକ୍ଷରୁ ରାୟ ପ୍ରକାଶ କରାଯିବା ସହ ପାଞ୍ଚ ହଜାର ଟଙ୍କା ଜୋରିମନା ଧାର୍ଯ୍ୟ ହୋଇଛି। ଜୋରିମନା ଅନାଦେୟ ଅଧିକ ତିନିମାସ ଜେଲଦଣ୍ଡ ଭୋଗିବେ ବୋଲି ରାୟରେ ସ୍ପଷ୍ଟ କରାଯାଇଛି।
ଉକ୍ତ ହତ୍ୟାକାଣ୍ଡରେ ଶଙ୍କରପୁର ଗ୍ରାମର ସୁଜିତ କୁମାର ସ୍ୱାଇଁ ଓରଫ ( ମିଲନ ) ଓ ସରୋଜ ଭୋଇ ଓରଫ ( ଧୂନା ) ଫେରାର ରହିଛନ୍ତି। ୨୦୧୩ ମସିହା ଫେବୁଆରୀ ମାସ ତିନି ତାରିଖ। ସମୟ ଥିଲା ସନ୍ଧ୍ୟା ସାଡେ ପାଞ୍ଚଟା, ବିରିଡ଼ି ଶଙ୍କରପୁର ଗ୍ରାମର ଭକ୍ତ ଚରଣ ଜେନା ନିଜଘରେ ସାଙ୍ଗ ଲିଟୁ ସହ ବସି କଥା ହେଉଥିଲେ। ଏହି ସମୟରେ ଉକ୍ତ ଗ୍ରାମର ମିଲନ ସ୍ୱାଇଁ, ମିଟୁ ସ୍ୱାଇଁ, ଚଗଲା ଓ ଧୂନା ପ୍ରମୁଖ ଦୁଇଟି ବାଇକ ରେ ଆସି ଭକ୍ତଙ୍କୁ ଗାଳିଗୁଳଜ କରିଥିଲେ ଏବଂ ବଳପୂର୍ବକ ବନ୍ଧୁକ ଦେଖାଇ ବାଇକରେ ବସାଇ ଭକ୍ତ ଓ ଲିଟୁଙ୍କୁ ଭିଡି ନେଇଥିଲେ।
ଭକ୍ତଙ୍କ ପତ୍ନୀ ବର୍ଷା ଜେନାଙ୍କ ଆକୁଳ ନିବେଦନକୁ ଏମାନେ ବେଖାତିର କରିଥିଲେ | ଏହାର ପାଖାପାଖି ଅଧ ଘଣ୍ଟା ପରେ ଖବର ପାଇଥିଲେ ସ୍ୱାମୀ ଭକ୍ତଙ୍କୁ ଗୁଳିମାଡ଼ ହୋଇଛି ଏବଂ ସେ ମୃତ୍ୟବରଣ କରିଛନ୍ତି ଓ ଲିଟୁ ଆହତ ହୋଇଛନ୍ତି। ସ୍ୱାମୀ ଭକ୍ତଙ୍କ ହତ୍ୟାକୁ ନେଇ ପତ୍ନୀ ବର୍ଷା ଜେନାଙ୍କ ପକ୍ଷରୁ ଜଗତସିଂହପୁର ଥାନାରେ ଏତଲା ଦିଆ ଯାଇଥିଲା। ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିଲେ କ୍ୟାଡର ପି. ପି. ନଳିନୀକାନ୍ତ ମହାରଣା, ସୂଚିତ୍ରବୀର୍ଯ୍ୟ ଦାସ ମାମଲାର ପ୍ରଥମ ତଦନ୍ତକାରୀ ପୋଲିସ ଅଫିସର ରହିଥିଲେ।