କେନ୍ଦୁଝର (ସୀତାରାମ ଦୀକ୍ଷିତ): ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ ଜିଲ୍ଲା କ୍ରୀଡା ସଂସ୍ଥା, କେନ୍ଦୁଝର ମିଳିତ ସହଯୋଗରେ କେନ୍ଦୁଝର ଶଙ୍କରପୁରସ୍ଥିତ ଧରଣୀଧର ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଅସ୍ମିତା ଖେଲୋ ଇଣ୍ଡିଆ ୧୭ ବର୍ଷରୁ କମ ବାଳିକା ଫୁଟବଲ ଚମ୍ପିୟାନସିପ ଗତକାଲି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଗତ ୬ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ପ୍ରଥମ ଥର ପାଇଁ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଜିଲ୍ଲା ବିଭିନ୍ନ ଅଞ୍ଚଳରୁ ସମୁଦାୟ 6ଟି ଦଳ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ଭାଗ ନେଇଥିବା ଦଳଗୁଡିକ ହେଲା ଟାଟା ଷ୍ଟିଲ ଫାଉଣ୍ଡେସନ-ଯୋଡ଼ା, ଜେଏସଡବ୍ଲୁ ଫାଉଣ୍ଡେସନ-ବନ୍ଧୁଆବେଡା, ବଡ଼ବିଲ ଏଫସି, ତାରିଣୀ ଫୁଟବଲ ଏକାଡେମୀ-କେନ୍ଦୁଝର, ଜିନ୍ଦଲ ଫାଉଣ୍ଡେସନ ବଡ଼ବିଲ-ଏ ଏବଂ ଆଡମିନ ଏଫସି।

ଡବଲ ରାଉଣ୍ଡ ଲିଗ ପଦ୍ଧତିରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ପ୍ରତ୍ୟେକ ଦଳ ପ୍ରତ୍ୟେକଙ୍କ ସହ ଦୁଇ ଥର ଲେଖାଏଁ ମ୍ୟାଚ ଖେଳିଥିଲେ। ଅନ୍ତିମ ପର୍ଯ୍ୟାୟରେ ତାରିଣୀ ଫୁଟବଲ ଏକାଡେମୀ -କେନ୍ଦୁଝର ସମୁଦାୟ ୧୦ଟି ମ୍ୟାଚ ଖେଳି 9ଟି ବିଜୟ ଏବଂ ଗୋଟିଏ ଡ୍ର ସହ ୨୮ ପଏଣ୍ଟ ହାସଲ କରି ଚମ୍ପିୟାନ ହେବାର ସୌଭାଗ୍ୟ ଅର୍ଜନ କରିଥିବା ବେଳେ ଜେଏସଡବ୍ଲୁ ଫାଉଣ୍ଡେସନ ବନ୍ଧୁଆବେଡା ୮ଟି ବିଜୟ, ଗୋଟିଏ ପରାଜୟ ଏବଂ ଗୋଟିଏ ଡ୍ର ସହ ୨୫ ପଏଣ୍ଟ ହାସଲ କରି ରନର୍ସ ଅପ ଆଖ୍ୟା ଅର୍ଜନ କରିଛି। ଖେଳ ଶେଷରେ ଏକ ସ୍ୱତନ୍ତ୍ର ଉତ୍ସବରେ ଜିଲ୍ଲା କ୍ରୀଡା ସଂସ୍ଥା,କେନ୍ଦୁଝରର ସାଧାରଣ ସମ୍ପାଦକ ଡ଼ ଜନାର୍ଦ୍ଦନ ଦାଶ ମୁଖ୍ୟଅତିଥି ରୂପେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।
ଚମ୍ପିୟାନ ତାରିଣୀ ଫୁଟବଲ ଏକାଡେମୀ ଟ୍ରଫି ସହ ନଗଦ ପଚାଶ ହଜାର ଟଙ୍କା ପୁରସ୍କାର ପାଇବାର ସୁଯୋଗ ପାଇଥିବା ବେଳେ ରନର୍ସ ଅପ ଜେଏସଡବ୍ଲୁ ଫାଉଣ୍ଡେସନ- ବନ୍ଧୁଆବେଡା ଟ୍ରଫି ସହ ନଗଦ ତିରିଶ ହଜାର ଟଙ୍କା ପୁରସ୍କାର ପାଇବାର ସୌଭାଗ୍ୟ ଅର୍ଜନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ସଂସ୍ଥା କୋଷାଧ୍ୟକ୍ଷ ସରୋଜ କୁମାର ରଣା ଏବଂ ବାଲେଶ୍ୱରରୁ ଫୁଟବଲ ଆସୋସିଏସନର କୋଚ ଏମ ବାପି ପ୍ରମୁଖ ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ ରେଫରୀ ଭାବେ ପ୍ରଥମ ଥର ପାଇଁ ମହିଳା ରେଫରୀ ଆରତୀ କିଷାନ, ସବିତା ଦାସ, ମାଳତୀ ମାଝୀ ଏବଂ ଗାୟତ୍ରୀ ଦାସ ଖେଳ ପରିଚାଳନା କରିଥିଲେ। ଫୁଟବଲ ଆସୋସିଏସନ ଅଫ ଓଡିଶା ପକ୍ଷରୁ ବୀରେନ୍ଦ୍ର ମହାନ୍ତ ମ୍ୟାଚ କମିଶନର ଭାବେ ନିଯୁକ୍ତି ପାଇଥିବା ବେଳେ କୃଷ୍ଣ ଚନ୍ଦ୍ର ମହାନ୍ତ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।