କୁଆପଥର ବର୍ଷାର ତାଣ୍ଡବ; ସନ୍ଧ୍ୟା ସୁଦ୍ଧା ମୟୂରଭଞ୍ଜ ପୀଡିତଙ୍କୁ ସହାୟତା ମିଳିବ: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ):ମୟୂରଭଞ୍ଜ ଜିଲ୍ଲାରେ କୁଆପଥର ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପରିସ୍ଥିତି ଆକଳନ କରିବା ପାଇଁ ବାଙ୍ଗିରିପୋଷିର ମହୁଲବାରେଳି ଏବଂ ସାରସପୋଷି ପରି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ସେ ସନ୍ଧ୍ୟା ସୁଦ୍ଧା ପୀଡିତଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହି କ୍ଷୟକ୍ଷତି ସମୀକ୍ଷା ସମୟରେ ରାଜସ୍ବ ମନ୍ତ୍ରୀଙ୍କ ସହ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ ।

ତେବେ ଆସନ୍ତା ୩ ଦିନ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଜଗତ୍‌ସିଂହପୁର, କଟକ, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼ ଓ ସୁନ୍ଦରଗଡ଼ ଆଦି ଜିଲାରେ ବିଜୁଳି ଏବଂ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ରହିଛି। ଏହି ଜିଲାଗୁଡ଼ିକରେ ୭ରୁ ୧୧ ସେମି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଥିବାବେଳେ ଘଣ୍ଟା ପ୍ରତି ୫୦ରୁ ୬୦ କି.ମି. ବେଗରେ ପବନ ବହିପାରେ। ସେହିପରି ଅନ୍ୟ ୧୪ ଜିଲାକୁ ୟେଲୋ ଓ୍ବାର୍ନିଂ ରହିଛି।

ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ତାପମାତ୍ରା ଦୁଇଦିନରେ ୮ ଡିଗ୍ରୀ କମିଛି। ଏହାପୂର୍ବରୁ ରାଜ୍ୟରେ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ୍‌ ନିକଟବର୍ତ୍ତୀ ହୋଇଥିବାବେଳେ ପାଣିପାଗ ସ୍ଥିତିରେ ଏପରି ହଠାତ୍‌ ପରିବର୍ତ୍ତନ ଆଶ୍ୱସ୍ତି ଦେଇଛି। ଶନିବାର ଭବାନୀପାଟଣାରେ ଦିନ ତାପମାତ୍ରା ସର୍ବାଧିକ ୩୫.୫ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଥିବାବେଳେ ସର୍ବନିମ୍ନ ତାପମାତ୍ରା କେନ୍ଦୁଝରଗଡ଼ରେ ୧୬.୧ ଡିଗ୍ରୀ ସେଲସିୟସ୍‌ ରହିଥିଲା

Leave a Reply

Your email address will not be published. Required fields are marked *

error: Content is protected !!