କେନ୍ଦୁଝରରେ ସହିଦ ରାଜକିଶୋର ମୁଣ୍ଡାଙ୍କ ଶେଷକୃତ୍ୟ ସମ୍ପନ୍ନ

କେନ୍ଦୁଝର(ସୀତାରାମ ଦୀକ୍ଷିତ) , ଅରୁଣାଞ୍ଚଳ ପ୍ରଦେଶ ତାୱାଙ୍ଗ ଠାରେ ବିହାର ରେଜିମେଣ୍ଟର ଷଷ୍ଠ ବାଟାଲିୟନର ହାବିଲଦାର କେନ୍ଦୁଝର ସଦର ବ୍ଲକ ନୂଆଗାଁର ବୀର ପୁଅ ରାଜକିଶୋର ମୁଣ୍ଡା କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ଗତ ୨୯ ମାର୍ଚ୍ଚ ଦିନ ବୀରଗତି ପ୍ରାପ୍ତ ହୋଇଛନ୍ତି । ଆଜି ସହିଦଙ୍କ ମରଶରୀର ଭୂବନେଶ୍ୱରସ୍ଥିତ ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ସହିଦଙ୍କ ଶେଷ ଦର୍ଶନ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଅପରାହ୍ଣରେ ସହିଦ ରାଜକିଶୋର ମୁଣ୍ଡାଙ୍କ ମରଶରୀର କେନ୍ଦୁଝର ଆସି ପହଞ୍ଚିବା ପରେ ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାର ଅବସରପ୍ରାପ୍ତ ସେନା କର୍ମଚାରୀ, ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ଜନସାଧାରଣ ବହୁ ସଂଖ୍ୟାରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ପରେ ସହିଦଙ୍କ ମରଶରୀରକୁ ପୈତୃକ ଗ୍ରାମ ନୂଆଗାଁକୁ ଶେଷକୃତ୍ୟ ନିମନ୍ତେ ନିଆଯାଇଥିଲା । ସହିଦ ରାଜକିଶୋର ମୁଣ୍ଡା ଅମର ରହେ ଧ୍ଵନିରେ ଚତୁଃର୍ଦିଗ ପ୍ରକମ୍ପିତ ହୋଇଉଠିଥିଲା ।

ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ, ଆରକ୍ଷୀ ଅଧିକ୍ଷକ ଶ୍ରୀ ନୀତିନ କୁଶଲକର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୂଷଣ, ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ଦଳାଇ, କେନ୍ଦୁଝର ସଦର ବିଡ଼ିଓ ବିନୋଦ କୁମାର ପଣ୍ଡା, ତହସିଲଦାର ଶ୍ରୀ ଶୁଭେନ୍ଦୁ କୁମାର ସାହୁ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ତଥା ପୋଲିସ ଅଧିକାରୀଙ୍କ ସମେତ ଶହ ଶହ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହିଥିଲେ । ପୋଲିସ ପକ୍ଷରୁ ଵିଧି ଅନୁଯାୟୀ ତୋପ ସଲାମୀ ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

error: Content is protected !!