ନୂଆଦିଲ୍ଲୀ (ଶ୍ରୀକ୍ଷେତ୍ର ନ୍ୟୁଜ଼ ବ୍ୟୁରୋ) ସାରା ଦେଶରେ ଲାଗୁ ହେଲା ୱକଫ୍ ଆଇନ। କେନ୍ଦ୍ର ସରକାର ଗେଜେଟ୍ ନୋଟିଫିକେସନ୍ ଜାରି କରି ୱାକଫ୍ ଅଧିନିୟମକୁ ଏପ୍ରିଲ୍ ୮ରୁ ପ୍ରଭାବୀ କରିଛନ୍ତି । ଗତ ସପ୍ତାହରେ ଏହି ବିଲ୍ ସଂସଦରୁ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦାନ ହାସଲ କରିଥିଲା । ଏହାପରେ ସରକାର ଅଧିସୂଚନା ଜାରି କରି ଏହି ଆଇନକୁ ସାରା ଦେଶରେ ଲାଗୁ କରିଛନ୍ତି ।

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏପ୍ରିଲ୍ ୫ରେ ୱାକଫ୍ ସଂଶୋଧନ ବିଲକୁ ମଞ୍ଜୁରି ଦେଇଥିଲେ । ଆଇନ ମନ୍ତ୍ରଣାଳୟର ଅଧିସୂଚନାରେ କୁହାଯାଇଥିଲା ଯେ ରାଷ୍ଟ୍ରପତି ଉଭୟ ବିଧେୟକକୁ ମଞ୍ଜୁରି ଦେଇଛନ୍ତି । ଏପ୍ରିଲ୍ ୪ରେ ରାଜ୍ୟସଭାରେ ଏହି ବିଧେୟକ ୧୨୮-୯୫ ଭୋଟରେ ପାରିତ ହୋଇଥିଲା । ଏହା ପୂର୍ବରୁ ଦୀର୍ଘ ସମୟ ଧରି ବିତର୍କ ପରେ ଲୋକସଭାରେ ୨୮୮-୨୩୨ ଭୋଟରେ ଏହି ବିଧେୟକ ପାରିତ ହୋଇଥିଲା ।
ୱାକଫ୍ ଆଇନ ବିରୋଧରେ ସୁପ୍ରିମକୋର୍ଟରେ ୧୦ରୁ ଅଧିକ ଆବେଦନ ଦାଖଲ କରାଯାଇଛି । ଏଥିରେ ରାଜନେତା, ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନଲ୍ ଲ’ ବୋର୍ଡ ଓ ଜମିୟତ୍-ଏ-ହିନ୍ଦର ଯାଚିକା ସାମିଲ ରହିଛି । ଏହି ଆବେଦନରେ ନୂଆ ଆଇନର ବୈଧତାକୁ ଚ୍ୟାଲେଞ୍ଜ କରାଯାଇଛି । ସେପଟେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ଆବେଦନ (କେଭିଏଟ୍) ଦାଖଲ କରିଛନ୍ତି । ଏଥିରେ ସରକାର କହିଛନ୍ତି ଯେ ୱାକଫ (ସଂଶୋଧନ) ଆଇନ ୨୦୨୫କୁ ଚ୍ୟାଲେଞ୍ଜ କରୁଥିବା ଯାଚିକା ଉପରେ କୌଣସି ଆଦେଶ ଦେବା ପୂର୍ବରୁ କୋର୍ଟ ପ୍ରଥମେ ତାଙ୍କ କଥା ଶୁଣିବେ ।