ତାଳଚେର(ଅଜିତ କୁମାର ଭୋଇ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା ହିଙ୍ଗୁଳାଙ୍କ ସୁପ୍ରସିଦ୍ଧ ବାର୍ଷିକ ଯାତ୍ରା ଓ ୨୧ତମ ଲୋକ ମହୋତ୍ସବ ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ପୀଠ ପରିସରରେ ଆଜିଠାରୁ ଆରମ୍ଭ ହୋଇଯାଇଛି । ପ୍ରତ୍ୟେକ ବର୍ଷ ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ ବା ବିଷ୍ଣୁ ଦମନକ ଚତୁର୍ଦ୍ଦଶୀରେ ମାଆଙ୍କ ଏହି ଅନନ୍ୟ ଯାତ୍ରା ଆରମ୍ଭ ହୋଇ ନଅ ଦିନ ପର୍ଯ୍ୟନ୍ତ ଚାଲିଥାଏ । ଆଜି ଯାତ୍ରାର ପ୍ରଥମ ଦିନରେ ତିନି ଲକ୍ଷରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଯୋଗ ଦେଇ ମା ହିଙ୍ଗୁଳାଙ୍କୁ ପୂଜାର୍ଚ୍ଚନା କରିଥିଲେ । ଚଳିତ ବର୍ଷ ଅଗ୍ନିରୂପା ମା ହିଙ୍ଗୁଳା ମନ୍ଦିରର ପଶ୍ଚିମ ଦିଗରେ ପ୍ରାୟ ଏକ କିଲୋମିଟର ଦୂରରେ ଅବସ୍ଥିତ ଗୋପାଳପ୍ରସାଦ ହାଇସ୍କୁଲ ପାଚେରୀ ନିକଟରେ ତଥା ଗଜରାଜ ଖେଳପଡିଆରେ ଆର୍ବିଭାବ ହୋଇଛନ୍ତି । ମା’ଙ୍କ ପ୍ରତ୍ୟକ୍ଷ ଦର୍ଶନ ଲାଭ କରିବା ସହ ତାଙ୍କ ଆଶିଷ ଲାଭ କରିବା ପାଇଁ ଉଭାସ୍ଥଳୀକୁ ଆଜି ବଡି ଭୋରରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା ।

ପ୍ରତ୍ୟୁଷରୁ ମା’ହିଙ୍ଗୁଳାଙ୍କ ମଙ୍ଗଳ ଆଳତୀ, ବାଳ ଭୋଗ ଆଦି ନୀତି ପାରମ୍ଫରିକ ରୀତିନୀତି ଅନୁଯାୟୀ ସଂପନ୍ନ କରାଯାଇଥିଲା । ଅପରାହ୍ନରେ ମା’ହିଙ୍ଗୁଳାଙ୍କ ଚଳନ୍ତି ପ୍ରତିମା ଆଲମକୁ ଏକ ଭବ୍ୟ ଶୋଭାଯାତ୍ରାରେ ଦିଅଁ ଘରୁ(ମୁଖ୍ୟ ଦେହୁରୀଙ୍କ ବାସଗୃହରୁ) ବଡ ମଣ୍ଡପ(ହିଙ୍ଗୁଳା ମନ୍ଦିର)କୁ ଅଣାଯାଇଥିଲା । ସେଠାରେ ମା ହିଙ୍ଗୁଳାଙ୍କ ଚଳନ୍ତି ପ୍ରତିମା ଆଲମକୁ ମୁଖ୍ୟ ପୂଜକ କିଶୋର ଦେହୁରୀ ଓ ଟଙ୍କଧର ଦେହୁରୀ ଶାବରୀ ମନ୍ତ୍ରରେ ପୂଜା କରିଥିଲେ । ଏହାପରେ ମାଆଙ୍କ ଚଳନ୍ତି ପ୍ରତିମା ଆଲମକୁ ଉଭାସ୍ଥଳୀକୁ ଶୋଭାଯାତ୍ରାରେ ନେଇ ପୂଜାର୍ଚ୍ଚନା କରାଯାଇଥିଲା । ଗତକାଲି ଅପରାହ୍ନରେ କାଳବୈଶାଖୀ ହୋଇଥିବାରୁ ସନ୍ଧ୍ୟାରେ ଅଳ୍ପ ସମୟ ପାଇଁ ବର୍ଷା ହୋଇଥିଲା । ତାର ପ୍ରଭାବରେ ଆଜି ରୌଦ୍ର ତାପ ସାମାନ୍ୟ କମ ଥିବାରୁ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଅଦ୍ଭୁତପୂର୍ବ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଉଭୟ ଉଭାସ୍ଥଳୀ ଏବଂ ହିଙ୍ଗୁଳା ପୀଠରେ ମାଆଙ୍କ ଦର୍ଶନ ପାଇଁ ଭକ୍ତଙ୍କର ଲମ୍ବା ଧାଡି ଦେଖିବାକୁ ମିଳିଥିଲା ।
ମା ହିଙ୍ଗୁଳାଙ୍କ ଉଭାସ୍ଥଳୀରେ ଏମ୍ସିଏଲ୍ ଜଗନ୍ନାଥ କ୍ଷେତ୍ର ଆନୁକୂଲ୍ୟରେ ଏକ ବିଶାଳ ବିଶ୍ରାମାଗାର ନିର୍ମାଣ କରାଯାଇଛି । ଟ୍ରଷ୍ଟ ବୋର୍ଡ ପକ୍ଷରୁ ଉଭାସ୍ଥଳୀ ଓ ମନ୍ଦିରରେ ସ୍ୱତନ୍ତ୍ର ବ୍ୟାରିକେଡ଼ ନିର୍ମାଣ କରାଯାଇଥିବାରୁ ପୁରୁଷ ଓ ମହିଳା ଭକ୍ତମାନେ ଧାଡିରେ ଛିଡା ହୋଇ ମାଙ୍କୁ ସୁରୁଖୁରୁରେ ଦର୍ଶନ କରିଥିଲେ । ଉଭୟ ମନ୍ଦିର,ଉଭାସ୍ଥଳୀ,ସାଂସ୍କୃତିକ ମଂଚ ଆଦି ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ୨୪ ଘଣି୍ଟଆ ନିରୀକ୍ଷଣ ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଲୋକ ମହୋତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପ୍ରତିଭାବାନ କଳାକାର ଯୋଗ ଦେଇ ନିଜର ପ୍ରତିଭାର ପରାକାଷ୍ଠା ପ୍ରଦର୍ଶନ କରିବେ ବୋଲି ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।