ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକର ବିଭିନ୍ନ ଗ୍ରାମରେ ଦଣ୍ଡଯାତ୍ରା, ପଣା ସଂକ୍ରାନ୍ତି ଓ ଓଡିଆ ନବବର୍ଷ ବହୁ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି l ଏହାସହ ଶେଷ ହୋଇଯାଇଛି ଦୀର୍ଘ ୨୧ଦିନ ଧରି ଚାଲିଥିବା ପ୍ରସିଦ୍ଧ ଦଣ୍ଡଯାତ୍ରା l ଏଥିସହ ମା’ଦଣ୍ଡକାଳୀ ନିଜ ମନ୍ଦିର କୁ ଫେରିବା ସହ ସମସ୍ତ ଦଣ୍ଡୁଆ ନିଜ ନିଜ ଗୃହକୁ ପ୍ରତ୍ୟାବର୍ତନ କରିଛନ୍ତି l ବୁଗୁଡ଼ା ବ୍ଲକର ବୁଗୁଡ଼ା ସମେତ ପଂକଳବାଡି, ତାଳସାକର, ଡାକରାବାଡି,ଗୋଳାବନ୍ଧ, ପାଣିକେଶ୍ୱର, ଚିଲିଖମା, କାନନକୁଟୀର, ଭାମସ୍ୟାଳି ଓ ଗୋଲିଆ ପ୍ରଭୃତି ଗ୍ରାମରେ ମେରୁଯାତ୍ରା ସହ ଦଣ୍ଡଯାତ୍ରା ଉଦଯାପିତ ହୋଇଯାଇଛି l ପ୍ରବଳ ଖରା ସତ୍ୱେ ମେରୁଯାତ୍ରା ଦେଖିବାପାଇଁ ମେରୁ ମଣ୍ଡପ ଗୁଡିକ ରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା l

ଗ୍ରାମ ଗୁଡିକରେ ଆଧ୍ୟାତ୍ମିକମୟ ପରିବେଶ ସୃଷ୍ଟି ହୋଇଥିଲା ଯାହାକୁ ନେଇ ଦଣ୍ଡଯାତ୍ରାର କାର୍ଯ୍ୟକ୍ରମ ସୂଚାରୁ ରୂପେ ପରିଚାଳନା କରିଥିଲେ ଦଣ୍ଡଯାତ୍ରାର ସମସ୍ତ କମିଟି ଓ ଗ୍ରାମବାସୀ ବୃନ୍ଦ । ଢୋଲ ଓ ହୁଳହୁଳିରେ ମେରୁ ମଣ୍ଡପ ଗୁଡିକ ପ୍ରକମ୍ପିତ ହୋଇଉଠିଥିଲା l ଘଣ୍ଟ ଘଣ୍ଟା ଢୋଲ ବାଜାରେ ମାଁକାଳୀଙ୍କ ଆସ୍ଥାନ ପ୍ରକମ୍ପିତ ହୋଇ ଉଠୁଥିବା ବେଳେ ମାନସିକ ଧାରି ଦଣ୍ଡୁଆମାନେ ଯଥା ରିତିନିତୀ ଅନୁସାରେ ଧୂଳିଦଣ୍ଡ , ପାଣି ଦଣ୍ଡ , ଗ୍ରାମ ପରିକ୍ରମା କରିବା ସହ ସନ୍ଧ୍ୟାରେ ଆଳତି ଅନୁଷ୍ଠିତ ହୋଇଥିବାବେଳେ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ଏହି ଅବସରରେ ବିଭିନ୍ନ ସ୍ବେଛାସେବୀ ସଂଗଠନ ପକ୍ଷରୁ ସ୍ଥାନେ ସ୍ଥାନେ ପଣା ବଣ୍ଟନ କରାଯାଉଥିବା ଦେଖାଯାଇଥିଲା l