ପ୍ରସିଦ୍ଧ ବୈଶାଖମେଳା ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ଅଧିକାରୀଙ୍କୁ ନିମନ୍ତ୍ରଣ

ବରଗଡ (ମୁକୁନ୍ଦ ଦାସ) : ବରଗଡ ଜିଲ୍ଲାର  ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପ୍ରସିଦ୍ଧ ବୈଶାଖ ମେଳା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଗାମୀ ୭ତାରିଖରୁ ୧୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବକୁ ଅଧିକ ସରସ ସୁନ୍ଦର କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିବା ଜଣାଯାଇଛି । ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ତତ୍ତ୍ଵାବଧାନରେ ବୈଶାଖ ମେଳା କମିଟିର ଏକ ପ୍ରତିନିଧି ଦଳ ଉପସ୍ଥିତ ହୋଇ ମହାମହିମ  ରାଜ୍ୟପାଳ ହରିବାବୁ କମ୍ଭମ୍ ପତିଙ୍କ ଠାରୁ ନିମନ୍ତ୍ରଣ ଆରମ୍ଭ କରାଯାଇଥିଲା । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି,  ଉପ ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା, ଅନ୍ୟତମ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତଥା ମନ୍ତ୍ରିମଣ୍ଡଳର ବିଭିନ୍ନ ମନ୍ତ୍ରୀ, ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖଙ୍କୁ ବୈଶାଖ ମେଳା ପାଇଁ ଆମନ୍ତ୍ରଣ କରାଯାଇଛି ।

ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ କାର୍ଯ୍ୟାଳୟରେ ନୃସିଂହନାଥ ପୀଠର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ସୂଚନା ଯୋଗ୍ୟଯେ ପ୍ରସିଦ୍ଧ ଗନ୍ଧମାର୍ଦନ ପାହାଡ଼ର ଗୋଟିଏ ପଟରେ ଅବସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରରେ ବିରଳ ପରିକଳ୍ପନା ନେଇ ଭଗବାନ ବିଷ୍ଣୁ ମାର୍ଜାର କେଶରୀ ବେଶରେ ପୂଜା ପାଉଥିବା ବେଳେ ଅନ୍ୟ ପଟରେ ଅବସ୍ଥିତ ହରିଶଙ୍କର ମନ୍ଦିରରେ ହର ପୂଜା ପାଉଛନ୍ତି । ଏକଦା ଗନ୍ଧମାର୍ଦ୍ଦନରେ ବୌଦ୍ଧ ବିହାର ରହିଥିବା ବେଳେ ହୁଏନସାଂ ପରିଭ୍ରମଣରେ ଆସିଥିଲେ । ଏଠାରେ ବୈଷ୍ଣବ, ବୌଦ୍ଧ, ଶୈବ, ଶାକ୍ତ ତଥା ତନ୍ତ୍ର ମତବାଦର ସହାବସ୍ଥାନ ଦେଖିବାକୁ ମିଳିଥାଏ । ବରଗଡ, ବଲାଙ୍ଗୀର ଓ ନୂଆପଡା ଜିଲ୍ଲା ସଂଲଗ୍ନ ଏହି ଗନ୍ଧମାର୍ଦ୍ଦନ ପାହାଡ଼ ପ୍ରାକୃତିକ ପରିବେଶ, ଜୈବ ବିବିଧତା ଓ ଔଷଧୀୟ ବୃକ୍ଷଲତା ପାଇଁ ପ୍ରସିଦ୍ଧ ଅଟେ ।

ତେଣୁ ଏହି ପୀଠର  ବିକାଶ ପାଇଁ ଆଗାମୀ ଦିନରେ ବଡ ଯୋଜନା ହାତକୁ ନିଆଯିବ ବୋଲି ସୂଚନା ମିଳିଥିବା ଜଣାଯାଇଛି । ଖୁବ୍ ଶୀଘ୍ର ଏକ ଆଭସୀ ବୈଠକ ମାଧ୍ୟମରେ ବୈଶାଖ ମେଳାର ପ୍ରସ୍ତୁତି ସଂକ୍ରାନ୍ତରେ ଆଲୋଚନା କରିବେ ବୋଲି ମନ୍ତ୍ରୀ ଶ୍ରୀମାନ ସୁରଜ୍ କହିଛନ୍ତି । ଉକ୍ତ ବୈଠକରେ ସାଂସଦ ଶ୍ରୀମାନ ପୁରୋହିତଙ୍କ ସମେତ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପଧାନ, ମନ୍ଦିର ସହିତ ସଂପୃକ୍ତ ଥିବା ରାଜକିଶୋର ସାହୁ, ସୁଶାନ୍ତ ମିଶ୍ର, ସଞ୍ଜୀବ ମାଝୀ ପ୍ରମୁଖ ଉପସ୍ଥିତ ହୋଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରାଚୀନ ପୀଠର ବିକାଶ ପାଇଁ ଆଗକୁ ଆହୁରି ଉଦ୍ୟମ କରାଜିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରତିଶ୍ରୁତି ଦେଇଛନ୍ତି । ପର୍ଯ୍ୟଟନ ବିଭାଗ ପକ୍ଷରୁ ନୃସିଂହନାଥ ମନ୍ଦିରର ସୁରକ୍ଷା ଓ ପରିମଳ ପାଇଁ ୪୭.୫ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଥିବା ବେଳେ ପାପହାରିଣୀ ଝରଣାର ସୌନ୍ଦର୍ଜିକରଣ ପାଇଁ ୧କୋଟି ଟଙ୍କା ଅନୁଦାନ ଅନୁମୋଦନ ପର୍ଯ୍ୟାୟରେ ରହିଛି ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

error: Content is protected !!