ଗୁଣି ଗାରେଡି ସନ୍ଦେହରେ ଜଣକୁ ପିଟି ପିଟି ହତ୍ୟା, ସଂଘବଦ୍ଧ ଆକ୍ରମଣର ଶିକାର ହେଲେ ଥାନା ଅଧିକାରୀ

ରାୟଗଡ଼ା (ଗୋପୀନାଥ ଗୌଡ଼) ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ସଦର ମହକୁମା ସ୍ଥିତ ହାଟ ପଦାରେ ଲୋମ ହର୍ଷଣକାରୀ ହତ୍ୟା କାଣ୍ଡ ଘଟିଯାଇଛି । ଗୁଣି ଗାରେଡି କରି ମାରି ଦେଇଥିବା ସନ୍ଦେହରେ ଗତ କାଲି ବିଳମ୍ବିତ ରାତିରେ ପଦ୍ମପୁର ସଦର ମହକୁମା ଝୁମୁରୁଗୁଡ଼ା ହାଟପଦା ସାହିର ୫୫ ବର୍ଷୀୟ ଭୈରବ ସାହୁଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ସାହି ବାସିନ୍ଦା। ଗୁଣି କରି ଲୋକଙ୍କୁ ମାରୁଛୁ କାହିଁକି କହି ଜଣକ ପରେ ଜଣେ ଲାତ ଗୋଇଠା, ବାଡ଼ି, ଠେଙ୍ଗାରେ ନିଧୁମ୍ ପିଟିଥିଲେ ବୋଲି ଅଭିଯୋଗ ହୋଇଛି । ମୁଁ ନିର୍ଦ୍ଦୋଷ ଛାଡ଼ିଦେବା ପାଇଁ ଭୈରବ ଅନେକ କାକୁତି ମିନତି ହୋଇ ଚିତ୍କାର କରୁ ଥିଲେ ମଧ୍ୟ ହିଂସକ ଲୋକେ ଛାଡି ନ ଥିଲେ ।

ଉତ୍ୟକ୍ତ ଲୋକମାନଙ୍କ ନିସ୍ତୁକ ମାଡରେ ଦରମରା ହୋଇ ଚେତା ଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲା ଭୈରବ ସାହୁ। ସୂଚନା ପାଇ ବିଳମ୍ୱିତ ରାତିରେ ଘଟଣା ସ୍ଥଳରେ ପହଞ୍ଚିଥିଲେ ପଦ୍ମପୁର ଥାନା ଆଇଆଇସି ଧରଣୀଧର ପ୍ରଧାନ। ଆହତକୁ ଉଦ୍ଧାର କରିବାକୁ ଉଦ୍ୟମ କଲାବେଳେ ପୋଲିସ ଆଇଆଇସି ଶ୍ରୀଯୁକ୍ତ ପ୍ରଧାନ ଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ଉତ୍ୟକ୍ତ ଲୋକେ । ଆକ୍ରମଣକାରୀଙ୍କ କବଳରୁ ଗୁରୁତର ଆହତ ଅବସ୍ଥାରେ ଭୈରବ ସାହୁଙ୍କୁ ପୋଲିସ ଉଦ୍ଧାର କରିଥିଲା । ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଚିକିତ୍ସାଧୀନ ଅବସ୍ଥାରେ ଭୈରବ ସାହୁ ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଲୋକଙ୍କ ଆକ୍ରମଣରେ ପଦ୍ମପୁର ଥାନା ଆଇଆଇସି ଧରଣୀଧର ପ୍ରଧାନର ମୁଣ୍ଡ ଫାଟି ଆହତ ହୋଇଥିବା ଜଣାପଡିଛି ।

ଏହି ଘଟଣା ପରେ, ଏକ୍ସନ ମୁଡ଼ରେ ପଦ୍ମପୁର ପୁଲିସ। ଆଜି ସକାଳୁ ପଦ୍ମପୁରରେ ୪ ପ୍ଲାଟୁନ ପୋଲିସ ସହ ବରିଷ୍ଠ ଅଧିକାରୀ ମାନେ ମୁତୟନ ହୋଇ ସାଇଣ୍ଟିଫିକ ଟିମ୍ ସାହାଯ୍ୟରେ ତଦନ୍ତ ଆରମ୍ଭ ହୋଇଥିଲା। ପ୍ରାୟ ୪୦ଜଣଙ୍କୁ ପୋଲିସ ସନ୍ଦେହର ପଚରା ଉଚୁରା ଆରମ୍ଭ କରିଥିଲା। ଶେଷରେ ଘଟଣାରେ ସଂପୃକ୍ତ ୨୧ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ପୋଲିସ ଗିରଫ କରାଯାଇଛି ଏବଂ ଏହି ଘଟଣାରେ ସମ୍ପୃକ୍ତ ୭ ଜଣ ନାବାଳକଙ୍କୁ ମଧ୍ୟ ଗିରଫ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଅପରାଧିଙ୍କୁ ଗିରଫ କରାଯିବ ବୋଲି ରାୟଗଡ଼ା ଏସପି ସ୍ଵାତି ଏସ କୁମାର ସୂଚନା ଦେଇଛନ୍ତି।ବର୍ତ୍ତମାନ ସେଠାରେ ସ୍ଥିତି ନିୟନ୍ତ୍ରଣ ରହିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

error: Content is protected !!