ଅହମଦାବାଦ (ଶ୍ରୀକ୍ଷେତ୍ର ନ୍ୟୁ୍ଜ଼ ବ୍ୟୁରୋ) : ଏୟାର୍ ଇଣ୍ଡିଆ ବିମାନ (ଏଆଇ-୧୭୧) ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ ଘଟିଛି। ରୂପାନୀଙ୍କ ବୟସ ୬୮ ବର୍ଷ ଥିଲା। ସେ ୨୦୧୬ ରୁ ୨୦୨୦ ପର୍ଯ୍ୟନ୍ତ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ।

ରୂପାନୀଙ୍କ ମୃତ୍ୟୁ ସଂପର୍କରେ ସୂଚନା ଦେଇ ଗୁଜରାଟ ବିଜେପି ସଭାପତି ସିଆର୍ ପାଟିଲ କହିଛନ୍ତି, ଆମର ସମ୍ମାନିତ ପୂର୍ବତନ ମୁଖ୍ୟମନ୍ତ୍ରୀ ସେହି ବିମାନରେ ଥିଲେ। ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କ ମଧ୍ୟରେ ସେ ଅଛନ୍ତି। ତାଙ୍କ ଅମର ଆତ୍ମାକୁ ଶାନ୍ତି ମିଳୁ। ଲଣ୍ଡନ ଗ୍ୟାଟୱିକ୍ ଅଭିମୁଖେ ଯାଉଥିବା ବୋଇଂ ୭୮୭ ଡ୍ରିମ୍ଲାଇନର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ବିମାନରେ ଥିବା ୨୪୨ ଜଣ ଯାତ୍ରୀ ଓକର୍ମଚାରୀଙ୍କ ମଧ୍ୟରୁ ବିଜୟ ରୂପାନୀ ତାଙ୍କ ପତ୍ନୀ ଅଞ୍ଜଳି ଏବଂ ଝିଅଙ୍କୁ ଭେଟିବା ପାଇଁ ଲଣ୍ଡନ ଯାଉଥିଲେ। ଉଡ଼ାଣ ଭରିବାର ମାତ୍ର କିଛି ସମୟ ପୂର୍ବରୁ ଜଣେ ଯାତ୍ରୀ ବିଜୟ ରୂପାନୀଙ୍କ ସହ ସେଲ୍ଫି ନେଉଥିବାର ଏକ ଫଟୋ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।
ଆନନ୍ଦୀବେନ ପଟେଲଙ୍କ ସ୍ଥାନରେ ସେ ବିଜେପି ଜରିଆରେ ଗୁଜରାଟ ରାଜନୀତିରେ ପ୍ରବେଶ କରିଥିଲେ ଏବଂ ଅଗଷ୍ଟ ୭, ୨୦୧୬ରୁ ସେପ୍ଟେମ୍ବର ୧୧, ୨୦୨୧ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ରୂପାନୀ ୨୦୧୭ରେ ରାଜକୋଟ ପଶ୍ଚିମରୁ ପୁନଃନିର୍ବାଚିତ ହୋଇଥିଲେ ଏବଂ ୨୦୨୧ରେ ତାଙ୍କ ଇସ୍ତଫା ପର୍ଯ୍ୟନ୍ତ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କ ସହ ଗୁଜରାଟ ସରକାରଙ୍କ ନେତୃତ୍ୱ ନେଇଥିଲେ। ପ୍ରଶାସନିକ ଦକ୍ଷତା ଓ ଶାନ୍ତ ଆଚରଣ ପାଇଁ ବେଶ୍ ଜଣାଶୁଣା ଥିଲେ ରୂପାନୀ। ରୂପାନୀଙ୍କ ମୃତ୍ୟୁରେ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିବା ବେଳେ ସାରା ଦେଶ ଶୋକ ପ୍ରକାଶ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେପଟେ ବିଜୟ ରୂପାଣୀଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ତାଙ୍କ ପତ୍ନୀ ଲଣ୍ଡନରୁ ଏବଂ ପୁଅ ଆମେରିକାରୁ ଅହମଦାବାଦ ଫେରୁଛନ୍ତି।
