ଭୁବନେଶ୍ୱର (ଶ୍ରୀକ୍ଷେତ୍ର ନ୍ୟୁ୍ଜ଼ ବ୍ୟୁରୋ): ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀ। ସୋମବାର ବିଳମ୍ବିତ ରାତିରେ ଏମ୍ସ କର୍ତ୍ତୃପକ୍ଷ ତାଙ୍କୁ ମୃତ (କ୍ଲିନିକାଲ୍ ଡେଥ୍) ଘୋଷଣା କରିଛନ୍ତି। ଫଳରେ ନିଜ କଲେଜ ଅଧ୍ୟାପକଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇ ଅନ୍ୟାୟ ବିରୋଧରେ ଲଢ଼ିଥିବା ଏହି ମୋଧାବିନୀ ଛାତ୍ରୀଙ୍କ ସଂଘର୍ଷର ଦୁଃଖଦ ଅନ୍ତ ଘଟିଛି। ବାଲେଶ୍ଵର ଜିଲ୍ଲା ଭୋଗରାଇରେ ମୃତ ଛାତ୍ରୀଙ୍କ ଘର । ଆଜି ଛାତ୍ରୀଙ୍କ ଗାଁ ମଶାଣିରେ ଶେଷକୃତ୍ୟ ସଂପନ୍ନ ହେବ ।

ସୂଚନା ଅନୁସାରେ ଗତ ୧୨ ତାରିଖ ମଧ୍ୟାହ୍ନରେ ଏଫଏମ କଲେଜ ପରିସରରେ ଛାତ୍ରୀ ଜଣକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ । ଛାତ୍ରୀଙ୍କ ଶରୀରର ପ୍ରାୟ ୯୫ ପ୍ରତିଶତ ପୋଡ଼ି ଯାଇଥିଲା । ପ୍ରଥମେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ି ଯାଇଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା। ଲାଇଫ ସପୋର୍ଟ ସିଷ୍ଟମରେ ରଖି ଚିକିତ୍ସା ଚାଲିଥିଲା । ୧୦ ଜଣିଆ ବିଶେଷଜ୍ଞ ଦଳ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ । ଛାତ୍ରୀଙ୍କରଶ୍ବାସନଳୀ, ବୃକକ, ହୃତପିଣ୍ଡ ସମେତ ଗୁରୁତ୍ବପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ଅକାମୀ ହୋଇପଡ଼ିଥିଲା । ତେବେ ଡାକ୍ତରଙ୍କ ସମସ୍ତ ପ୍ରୟାସ ସତ୍ତ୍ବେ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା।
ଶେଷରେ ଆଜି ରାତି ପ୍ରାୟ ୧୨ଟାରେ ପରିବାର ସଦସ୍ୟ ଓ ହସ୍ପିଟାଲରେ ଉପସ୍ଥିତ ଥିବା ସାଙ୍ଗମାନଙ୍କୁ ଛାତ୍ରୀଙ୍କ ମୃତ୍ୟୁ ସମ୍ପର୍କରେ ଅବଗତ କରାଯାଇଥିଲା। ସଙ୍ଗେ ସଙ୍ଗେ ହସ୍ପିଟାଲ ପରିସର କାନ୍ଦବୋବାଳିରେ ଫାଟି ପଡ଼ିଥିଲା। ଏହାର କିଛି ସମୟ ପରେ ଡାକ୍ତର ତାଙ୍କୁ ବିଧିବଦ୍ଧ ଭାବେ ମୃତ ଘୋଷଣା କରିଥିଲେ।
