ଐତିହାସିକ ଡ.ସଦାନନ୍ଦ ଅଗ୍ରୱାଲଙ୍କ ଅଷ୍ଟମ ଶ୍ରାଦ୍ଧଦିବସ ପାଳିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଓଡିଶାର ସାହିତ୍ୟ,ସଂସ୍କୃତି ଓ ଐତିହାସିକ ଗବେଷଣାରେ ସ୍ୱର୍ଗତ ଡ.ସଦାନନ୍ଦ ଅଗ୍ରୱାଲଙ୍କ ଯଥେଷ୍ଟ ଅବଦାନ ରହିଛି। ତାଙ୍କର ଗବେଷଣା ଲବ୍ଧଜ୍ଞାନ ତାଙ୍କୁ ଅମର କରି ରଖିଛି। ପ୍ରାରମ୍ଭିକ ଜୀବନରେ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଥିଲେ ହେଁ ତାଙ୍କର ଅଧ୍ୟବସାୟ ତାଙ୍କୁ ପ୍ରତିଷ୍ଠିତ କରିଥିଲା । ଜଣେ ମାଟ୍ରିକପଢା ଲୋକର ଐତିହାସିକ ଗବେଷଣା ବିଶ୍ୱବିଦ୍ୟାଳୟ ମାନଙ୍କରେ ପାଠ୍ୟପୁସ୍ତକ ଆକାରରେ ପ୍ରଚଳନ ହେବା ନିହାତି ଏକ ବିରଳ ଘଟଣା ବୋଲି ଆଜି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ମେଣ୍ଡା ମହର୍ଷି ବୁଦ୍ଧରାମ ଡିଗ୍ରୀ ମହାବିଦ୍ୟାଳୟ ଗୋବିନ୍ଦ ବିହାର ଠାରେ ଆୟୋଜିତ ସଦାନନ୍ଦ ଅଗ୍ରୱାଲଙ୍କ ୮ମ ଶ୍ରାଦ୍ଧଦିବସରେ ମୁଖ୍ୟଅତିଥି ଭାବରେ ଯୋଗଦେଇଥିବା ସୁବର୍ଣ୍ଣପୁର ଜିଲ୍ଲାପାଳ ଡ.ନୃପରାଜ ସାହୁ ମତବ୍ୟକ୍ତ କରିଛନ୍ତି । ଡ.ସାହୁ ଆହୁରି କହିଲେ ଯେ,ସ୍ୱର୍ଗତ ସଦାନନ୍ଦ ବାବୁ ଜଣେ ମହିମାଧର୍ମର ପରମଉପାସକ ଥିଲେ ।

ସେ ସନ୍ଥକବି ଭୀମଭୋଇଙ୍କ ନାମରେ ଭୁବନେଶ୍ୱର ରାଜଧାନୀରେ ଏକ ରାସ୍ତାର ନାମକରଣ,ଏକ ବିଶ୍ୱବିଦ୍ୟାଳୟର ନାମକରଣ ଓ ବିଶ୍ୱବିଦ୍ୟାଳୟର ଏକ ଚେୟାର ସ୍ଥାପନ ଯାହାକି ଆଜି ସଫଳ ହୋଇସାରିଛି। ରାଜଧାନୀ ଭୁବନେଶ୍ୱରରେ ଏକ ରାସ୍ତାକୁ ଓଡିଶା ସରକାର ଭୀମଭୋଇଙ୍କ ନାମରେ ନାମିତ କରିଛନ୍ତି। ସେହିପରି ବଲାଙ୍ଗୀର ମେଡିକାଲ କଲେଜକୁ ଭୀମଭୋଇଙ୍କ ନାମରେ ନାମିତ କରାଯାଇଥିବା ବେଳେ ସମ୍ବଲପୁର ଜିଏମ ବିଶ୍ୱବିଦ୍ୟାଳୟରେ ଭୀମ ଭୋଇ ଚେୟାର ସ୍ଥାପନ ହୋଇସାରିଛି ବୋଲି ଜିଲ୍ଲାପାଳ ଡ.ସାହୁ କହିବା ସହିତ ସ୍ୱର୍ଗତ ସଦାନନ୍ଦ ଅଗ୍ରୱାଲ ଜଣେ ପ୍ରଚଣ୍ଡ ସ୍ୱାଭିମାନୀ ମଣିଷ ଥିଲେ ବୋଲି କହିଥିଲେ । ଡ.ସଦାନନ୍ଦ ଅଗ୍ରୱାଲ ସ୍ମୃତିକମିଟି ଓ ଏମବିଆର ଡିଗ୍ରୀକଲେଜର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏମବିଆର ଡିଗ୍ରୀକଲେଜର ପରିଚାଳନା କମିଟିର ସଭାପତି ବାଳଗୋପାଳ ପଣ୍ଡା ସଭାପତିତ୍ୱ କରିଥିବା ବେଳେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ସଂଯୋଜନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବାନ୍ଧଶିଲ୍ପୀ ପଦ୍ମଶ୍ରୀ ଡ.ଚତୁର୍ଭୁଜ ମେହେର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିବାବେଳେ ସମ୍ମାନୀତ ଅତିଥି ଭାବରେ ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ,ଭୀମସାର ବୁର୍ଲାର ସ୍ତ୍ରୀ ଓ ପ୍ରସୂତୀବିଭାଗର ବିଶେଷଜ୍ଞ ପ୍ରଫେସର ଡ.ବେଣୁଧର ପାଣ୍ଡେ, ରୋଟାରିଆନ ବିଷ୍ଣୁପ୍ରସାଦ କେଡିଆ ଓ ମୁଖ୍ୟବକ୍ତା ଭାବରେ କୁଟୁମଡୋଲା କଲେଜର ପ୍ରଧ୍ୟାପକ ଡ.ସୁରେଶଚନ୍ଦ୍ର ଷଢଙ୍ଗୀ ଯୋଗଦେଇଥିଲେ । ସିଦ୍ଧାର୍ଥ ଅଗ୍ରୱାଲ ଅତିଥି ପରିଚୟ ସହିତ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏସପି ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ ସ୍ୱର୍ଗତ ଅଗ୍ରୱାଲଙ୍କ ସହିତ ରହିଥିବା ପୁରୁଣା ସ୍ମୃତିଚାରଣ କରିଥିବା ବେଳେ ଅଞ୍ଚଳପ୍ରତି ଥିବା ତାଙ୍କର ଅବଦାନ ବିଷୟରେ କହିଥିଲେ। ମୁଖ୍ୟବକ୍ତା ଡ.ଷଢଙ୍ଗୀ ତାଙ୍କ ବକ୍ତବ୍ୟରେ ସଦାନନ୍ଦ ଅଗ୍ରୱାଲ ଲକ୍ଷ୍ୟନିଷ୍ଠ ଗବେଷଣା ତଥା ତାଙ୍କର ସମସ୍ତଙ୍କ ପ୍ରତିଥିବା ଭଲପାଇବାର ଗୁଣ ବିଷୟରେ କହିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!