ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ):ବୁଗୁଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ପକ୍ଷରୁ ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମରେ ବୁଗୁଡା ଏବଂ ବାଲିପଦର ସବ୍-ଜୋନ୍ ସ୍ତରୀୟ ବିଦ୍ଯାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବୁଗୁଡ଼ା ବ୍ଲକ ସ୍କୁଲ ସ୍ପୋଟର୍ସ ଏସୋସିଏସନ ସଭାପତି ତଥା ବିଇଓ ଚିନ୍ମୟ ମହାପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ଅତିଥି ଭାବେ ପିପୁଲ୍ସ ହାଇସ୍କୁଲ ପ୍ରଧାନ ଶିକ୍ଷକ କାଳି ଚରଣ ବେହେରା, ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ କୃଷ୍ଣପ୍ରିୟା ମହାରଣା, ବୁଦ୍ଧଗିରି ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ମୀନ କେତନ ବେହେରା ଯୋଗ ଦେଇ କ୍ରୀଡା ପ୍ରତିଯୋଗୀଙ୍କୁ ମାର୍ଗ ଦର୍ଶନ କରିବା ସହ ଉତ୍ସାହିତ କରିଥିଲେ ।
ଏ ଅବସରରେ ଉଭୟ ବରିଷ୍ଠ ଓ କନିଷ୍ଠ ବର୍ଗର ପ୍ରତିଯୋଗୀଙ୍କ ମଧ୍ୟରେ କବାଡି, ଖୋ-ଖୋ, ଦୌଡ, ଲଙ୍ଗ୍ ଜମ୍ପ, ହାଇ ଜମ୍ପ୍, ସଟପୁଟ୍ ଥ୍ରୋ, ଡିସକସ୍ ଥ୍ରୋ, ଜଭଲିନ୍ ଥ୍ରୋ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବୁଗୁଡା ବ୍ଲକ ସ୍କୁଲ ସ୍ପୋଟର୍ସ ଏସୋସିଏସନ ସେକ୍ରେଟାରୀ ବିଶ୍ବେଶ୍ବର ଗିରିଙ୍କ ତତ୍ତ୍ବାବଧାନରେ ଆୟୋଜିତ କ୍ରୀଡା ପ୍ରତିଯୋଗିତା ଗୁଡିକୁ ପିପୁଲ୍ସ କଲେଜ କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ରଙ୍କ ସମେତ ବିଭିନ୍ନ ହାଇସ୍କୁଲର କ୍ରୀଡା ଶିକ୍ଷକ ପ୍ରଣବ ମହନ୍ତ , ଲଳିତ ମୋହନ ସ୍ବାଇଁ , ବିନୋଦ ବେହେରା, ଭଞ୍ଜ କିଶୋର ଗୌଡ଼, ଲିଙ୍ଗରାଜ ବାରିକ,ଲକ୍ଷ୍ମଣ ବେହେରା, ଅମୀୟ ରଞ୍ଜନ ଭୂୟାଁ ଓ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ସ୍ବାଇଁ ପ୍ରମୁଖ ପରିଚାଳନା କରିଥିଲେ।
