କେନ୍ଦୁଝର/ବଡ଼ବିଲ(ସୀତାରାମ ଦୀକ୍ଷିତ) :କେନ୍ଦୁଝର ଜିଲ୍ଲାର ବଡ଼ବିଲ ତହସିଲ ଅଞ୍ଚଳରେ କେତେକ ସରଳ ଆଦିବାସୀଙ୍କ ଜମିକୁ ସ୍ଥାନୀୟ କେତେକ ଖଣି କମ୍ପାନୀ ଚଞ୍ଚକତା କରି ଅବୈଧ ଭାବେ ହଡପ କରି ନେଉଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସ୍ଥାନୀୟ ପ୍ରଶାସନଙ୍କ ନିକଟରେ ଗୁହାରୀ କରାଗଲେ ମଧ୍ୟ କୌଣସି କାର୍ଯ୍ୟକର ପଦକ୍ଷେପ ନ ନେଇ କମ୍ପାନୀର ଏପରି ବେଆଇନ କାର୍ଯ୍ୟକୁ ନୀରବ ସମର୍ଥନ କରାଯାଉଥିବା ଅଭିଯୋଗ ଉଠିଛି। ଅଭିଯୋଗ ଅନୁସାରେ କାରାକୋହ୍ଲା ଗ୍ରାମର ଆଦିବାସୀ ଚାଷୀ ଜୁନେଇ ମୁଣ୍ଡାଙ୍କ ବେଳକୁଣ୍ଡି ଅଞ୍ଚଳରେ ଥିବା ଏକ ଗୋଚର କିସମ ଜମିକୁ ଉଲିବୁରୁ ଗ୍ରାମସ୍ଥ ଜଗନ୍ନାଥ ଷ୍ଟିଲ କମ୍ପାନୀ ଜବରଦଖଲ କରି ଡମ୍ପୟାର୍ଡ ଭାବେ ବ୍ୟବହାର କରୁଛି।
ଏ ନେଇ ଜମି ମାଲିକ ଜୁନେଇ ମୁଣ୍ଡା ପ୍ରଶାସନର ଦ୍ୱାରସ୍ଥ ହୋଇ ଆର୍ଏମ୍ସି ୨୪/୨୦୨୩ ନମ୍ବରରେ ଏକ ମାମଲା ରୁଜୁ କରିଥିଲେ।ମାମଲାର ବିଚାର ପରେ ଚମ୍ପୁଆ ଉପ-ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଚିଠି ନଂ ୬୦୯୧ ଅନୁସାରେ ୧୭.୧୦.୨୦୨୫ ସୁଦ୍ଧା ଜମି ମାଲିକଙ୍କୁ ଜମି ଫେରାଇବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଏହି ନିର୍ଦ୍ଦେଶ ପରେ ମଧ୍ୟ ସ୍ଥାନୀୟ ପ୍ରଶାସନ କୌଣସି ପଦକ୍ଷେପ ନେଇନଥିବା ନେଇ ଅଭିଯୋଗ ହୋଇଛି।ଏହା ସହ ଖତିୟାନ ନଂ ୪୯, ୟୁନିଟ–୩ କୁ ଜମି ମାଲିକଙ୍କ ଅଜାଣତରେ ସଂଶୋଧନ କରି ଦୁଇ ଜଣଙ୍କ ନାମ ଭର୍ତ୍ତି କରାଯାଇଥିବା ନେଇ ଆଦିବାସୀ କୃଷକ ଓ ଜମି ମାଲିକ ସଂଘ ପକ୍ଷରୁ ମଧ୍ୟ ଗୁରୁତର ଅଭିଯୋଗ ଉଠିଛି।
ଏହି ସମସ୍ୟାର ପ୍ରତିବାଦରେ ଆଦିବାସୀ କୃଷକ ଓ ଜମି ମାଲିକ ସଂଘର ସଭାପତି ଜାକ୍ରିୟସ କିସପଟାଙ୍କ ନେତୃତ୍ୱରେ ସୋମବାର ବଡ଼ବିଲ ତହସିଲ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଦିନିକିଆ ଧାରଣା ପ୍ରଦର୍ଶନ କରାଯାଇଥିଲା।ଏହା ସହିତ ମାନ୍ୟବର ରାଜ୍ୟପାଳ, ମାନ୍ୟବର ମୁଖ୍ୟମନ୍ତ୍ରୀ, ଚମ୍ପୁଆ ଉପ-ଜିଲ୍ଲାପାଳ, ବଡ଼ବିଲ ଏସ୍ଡିପିଓ ଓ ବଡ଼ବିଲ ଥାନା ଅଧିକାରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ନେଇ ଶ୍ରୀ କିସପଟା ସୂଚନା ଦେଇଛନ୍ତି।
