ଆଇସିଡିଏସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା କର୍ମଶାଳା

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ବୁଗୁଡା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ସମ୍ମିଳନୀ କକ୍ଷରେ ସାଇବର ସୁରକ୍ଷା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ “ବେଟି ବଚାଓ, ବେଟି ପଢାଓ” ଏବଂ “ବାଲ୍ୟ ବିବାହ ମୁକ୍ତ ଭାରତ” ଯୋଜନା ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୁଗୁଡା ସିଡିପିଓ ସବିତା କୁମାରୀ ପଣ୍ଡା ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ସଂଯୋଜିକା ଗୀତାଞ୍ଜଳି ମହାରଣା ଯୋଗଦେଇଥିବା ବେଳେ ସାଧନା କର୍ମୀ ଭାବେ ଆଡଭୋକେଟ ପ୍ରଭାତ କୁମାର ଜେନା, ୟୁନିୟନ ବ୍ୟାଙ୍କ ପକ୍ଷରୁ ଦିଲ୍ଲୀପ କୁମାର ଦଳେଇ ଓ ବୁଗୁଡ଼ ପୋଲିସ ଥାନା ସବଇନସପେକ୍ଟର ଜ୍ୟୋତି ଶ୍ରୀ ସାହୁ ଯୋଗଦେଇଥିଲେ।

ଆଡଭୋକେଟ ଶ୍ରୀ ଜେନା, ବ୍ୟାଙ୍କ ଅଧିକାରୀ ଶ୍ରୀ ଦଳେଇ ଓ ଏସ.ଆଇ. ଶ୍ରୀମତୀ ସାହୁ ସାମ୍ପ୍ରତିକ ସମୟରେ ମୋବାଇଲର ବହୁଳ ବ୍ୟବହାର ଯୋଗୁଁ ବିଭିନ୍ନ ଉପାୟ ଅବଲମ୍ବନ କରି ସାଇବର ଅପରାଧୀ ବୃନ୍ଦ ଜନସାଧାରଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟ୍ କରିବାରେ ସକ୍ଷମ ହେଉଥିବା ବେଳେ କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ, ଅନଲାଇନ୍ ଟ୍ରାନଜେସନ ଓ ମୋବାଇଲରେ ତଥ୍ୟ ଆଦାନ ସମୟରେ ସତର୍କ ଓ ସଜାଗ ରହିବା ପାଇଁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ବାଲ୍ୟ ବିବାହ ବିରୋଧରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାଇବର ସୁରକ୍ଷା ସମ୍ପର୍କରେ ଅନୁଷ୍ଠିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରିତବିବା ତିନି ଜଣ କିଶୋରୀଙ୍କୁ ପ୍ରଶଂସା ପତ୍ର ସହ ଏକ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କର୍ମଶାଳାରେ କ୍ଷେତ୍ର ପରିଦର୍ଶିକାଙ୍କ ବୃନ୍ଦ କର୍ମଶାଳା ପରିଚାଳନା କରିଥିବା ବେଳେ ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ସ୍ୱାସ୍ଥ୍ୟ କର୍ମୀ, ଏସଏଚଜି ମାଆ ଓ କିଶୋରୀ ବାଳିକା ବୃନ୍ଦ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!