ବୁଗୁଡ଼ାରେ ଗଞ୍ଜାମ କଳାକାର ଦିବସ ପାଳିତ, ବହୁ ପ୍ରତିଭାଧାରୀ ସମ୍ବର୍ଦ୍ଧିତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଗଞ୍ଜାମ ଏକାଡେମୀ ଅଫ୍ ଫାଇନ୍ ଆର୍ଟ ପକ୍ଷରୁ କଳାକାରମାନଙ୍କର ମହାମିଳନ ଏବଂ ସମ୍ମାନର ମହାପର୍ବ “ଗଞ୍ଜାମ କଳାକାର ଦିବସ” ପାଳନ କାର୍ଯ୍ୟକ୍ରମ ସ୍ଥାନୀୟ ସଙ୍ଗମ୍ କଲ୍ଯାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ବିଷୁବ ସଙ୍କ୍ରାନ୍ତିରେ ଖ୍ଯାତିସମ୍ପନ୍ନ ଚିତ୍ରଶିଳ୍ପୀ ତଥା ଗଞ୍ଜାମ ଏକାଡେମୀ ଅଫ୍ ଫାଇନ୍ ଆର୍ଟ ସଂସ୍ଥାର ନିର୍ଦ୍ଦେଶକ ଡ.ସ୍ଥିତଧୀ ରଥଙ୍କ ପୌରୋହିତ୍ଯରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ସେବା ନିବୃତ୍ତ ଯବାନ ପ୍ରମୋଦ କୁମାର ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ସଙ୍ଗୀତ ନିର୍ଦ୍ଦେଶକ ଶ୍ଯାମାପଦ ହୋତା, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଆତ୍ମ ପ୍ରକାଶ ନାୟକ, ସମ୍ମାନିତ ଅତିଥି ଭାବେ ଯୁବ ଚାଷୀ ସିମାଞ୍ଚଳ ସ୍ବାଇଁ ଆଲୋଚନାଚକ୍ରର ବିଷୟବସ୍ତୁ “ଲୋକକଳାର ମୌଳିକତା ଓ ଆଧୁନିକତା” ସମ୍ପର୍କୈ ଆଲୋକପାତ କରିବା ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଅଞ୍ଚଳର ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଏ ଅବସରରେ “ଗଞ୍ଜାମ ଗୌରବ” ଭାବେ ପ୍ରହଲ୍ଲାଦ ନାଟକର ଦୁଇ ବର୍ଷିୟାନ ମହାରଥୀ ଖଣ୍ଡୁରୁ ଗ୍ରାମର କପି କପିଳ ସାହୁ ଓ ବାଲିପଦର ଗ୍ରାମର କୋକରାମ ଜେନା, ଦାସକାଠିଆ ଲୋକନୃତ୍ୟ ପାଇଁ କରଚୁଲି ଗ୍ରାମର ତ୍ରିନାଥ ଗୌଡ, ଖଣ୍ଡୁରୁ ଗ୍ରାମସ୍ଥ ଭାଗବତଟୁଙ୍ଗିର ସଂରକ୍ଷକ କନ୍ଧ ନାୟକ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ବିରଞ୍ଚି ନାରାୟଣ ମନ୍ଦିର ମହନ୍ତ ଭକ୍ତରାମ ଦାସଙ୍କୁ ରାଜର୍ଷି ଶ୍ରୀକର ଭଞ୍ଜ ସ୍ମୃତି ସମ୍ମାନ, ସୁସାହିତ୍ଯିକ ଅନନ୍ତ କରଙ୍କୁ ପଣ୍ଡିତଶ୍ରୀ ଘନଶ୍ୟାମ ହୋତା ସ୍ମୃତି ସମ୍ମାନ, ସଙ୍ଗୀତଜ୍ଞ ସୁରେନ୍ଦ୍ର ନାଥ ଦାସଙ୍କୁ ସଙ୍ଗୀତ ବିଶାରଦ ନାରାୟଣ ତ୍ରିପାଠୀ ସ୍ମୃତି ସମ୍ମାନ, ଗବେଷକ ଡ.ବ୍ରଜ କିଶୋର ପାଢ଼ୀଙ୍କୁ ମଦନ ମୋହନ ପାଣି ସ୍ମୃତି ସମ୍ମାନ, ଶିଳ୍ପୀ ମଧୁ ମଙ୍ଗଳ ମହାରଣାଙ୍କୁ କଳାଶ୍ରୀ ଯୋଗୀ ମହାରଣା ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା।

ଏଥି ସହ ଘଟକଳସ ଲୋକନୃତ୍ୟ ପାଇଁ ଗୋଲିଆର ଶଙ୍କର ସାହୁ , ପିତଳ ମାଛ କାରିଗରୀ ପାଇଁ ବେଲଗୁଣ୍ଠାର ପ୍ରକାଶ ମହାରଣା, ଗୋବର କଣ୍ଢେଇ ପାଇଁ ଚଢିଆପଲ୍ଲୀର ମହିଳା ଵିଷ୍ଣୁ ପ୍ରିୟା ମହାରଣା, ପଶୁମୁଖା ନୃତ୍ୟ ପାଇଁ ବଡକୋଦଣ୍ଡାର ବୁଦ୍ଧିଆ ଗୌଡ଼, ବାଘ ନୃତ୍ୟ ପାଇଁ ବେଲଗୁଣ୍ଠାର ମହେନ୍ଦ୍ର ପାତ୍ର, ଗାହଣ ପାଇଁ ଆଦିପୁର ଗାଁର ଶଙ୍କର ସାହୁ, ସୁତା କଣ୍ଢେଇ ନୃତ୍ୟ ପାଇଁ ବଡକୋଦଣ୍ଡାର ଜଗବନ୍ଧୁ ବେହେରାଙ୍କ ସମେତ କଣ୍ଠଶିଳ୍ପୀ ମିତାଲି ପଟ୍ଟନାୟକ ଓ ମାନସ ରଞ୍ଜନ ହୋତା ଏବଂ ନାଟ୍ଯ କଳାକାର ଦିଲ୍ଲୀପ କୁମାର ଦାଶ ଓ ଦୁର୍ଲଭ ବିଷୋୟୀ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ଅନ୍ଯପକ୍ଷରେ ବରେଣ୍ୟ ଅତିଥିଗଣଙ୍କୁ ସମ୍ମାନ ପତ୍ର ପ୍ରଦାନ ସାଙ୍ଗକୁ ଅଞ୍ଚଳର କେତେକ ବରିଷ୍ଠ ସାମ୍ବାଦିକଙ୍କୁ ମଧ୍ୟ “ଗଞ୍ଜାମ ଶ୍ରୀ” ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ପରିଶେଷରେ ଆୟୋଜକ ସଂସ୍ଥାର ସମ୍ପାଦିକା ପ୍ରଭାସିନୀ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!
Powered by Joinchat