ସେଞ୍ଚୁରିଅନ-କୌଶଳ ସାଥୀ କାର୍ଯ୍ୟକ୍ରମରେ ପ୍ରତିଭାମାନଙ୍କୁ ସମ୍ମାନ।

ରାୟଗଡା (ଗୋପୀନାଥ ଗୌଡ଼) : ସେଞ୍ଚୁରିଅନ ୟୁନିଭର୍ସିଟି ଓ ସିକ୍ୟୁ ଏଡ୍ୟୁକେସନାଲ ଫାଉଣ୍ଡେସନଙ୍କ ଯୁଗ୍ମ ଉଦ୍ୟମରେ “ସେଞ୍ଚୁରିଅନ-କୌଶଳ ସାଥୀ” ଶୀର୍ଷକ ଏକ ଭବ୍ୟ ସମ୍ମାନ ଓ ସ୍ୱୀକୃତି ସମାରୋହ ରାୟଗଡାସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିୟମ୍‌ରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଓଏଭି,ବିଦ୍ୟାଳୟ, ସରକାରୀ ଓ ବେସରକାରୀ ବିଦ୍ୟାଳୟର ଦଶମ ଓ ଦ୍ୱାଦଶ ଶ୍ରେଣୀର ଶ୍ରେଷ୍ଠ ଦୁଇଜଣ ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସ୍ଥାନୀୟ ମ୍ୟୁଜିକ ଗାଲାକ୍ସିର ଛାତ୍ରଛାତ୍ରୀଙ୍କ ଦ୍ୱାରା ବନ୍ଦେ ମାତରଂ ପରିବେଷଣ ସହ ସମସ୍ତ ଅତିଥି ମାନେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ରାୟଗଡା ଉପ-ଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଆଜିର ଯୁଗରେ କେବଳ ପାଠ୍ୟଶିକ୍ଷା ପର୍ଯ୍ୟାପ୍ତ ନୁହେଁ, ବରଂ କୌଶଳ ଭିତ୍ତିକ ଶିକ୍ଷା ଯୁବପିଢ଼ିକୁ ଆତ୍ମନିର୍ଭରଶୀଳ କରିପାରିବ ।

ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଏଡିଏମ୍ ଶ୍ରୀ ନବୀନ ଚନ୍ଦ୍ର ନାୟକ କହିଥିଲେ ଯେ, ଶିକ୍ଷା ସହ କୌଶଳ ଓ ଉଦ୍ୟୋଗୀତା ଯୁବସମାଜକୁ ସଫଳତାର ଶିଖରକୁ ନେଇଯିବ । ସେ ଛାତ୍ରଛାତ୍ରୀଙ୍କୁ ନୂତନ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ସହ ଆଗେଇବାକୁ ପ୍ରେରିତ କରିଥିଲେ ।ସେଞ୍ଚୁରିଅନ ୟୁନିଭର୍ସିଟିର ଡିନ୍ ଡଃ ସମ୍ବିତ ସ୍ୱାଇଁ କହିଥିଲେ ଯେ, କୌଶଳ ଭିତ୍ତିକ ଶିକ୍ଷା ଦ୍ୱାରା ଛାତ୍ରଛାତ୍ରୀମାନେ ଚାକିରି ସହ ନିଜେ ଉଦ୍ୟୋଗୀ ହୋଇପାରିବେ । ଡିନ୍ ଡଃ ପ୍ରଫୁଲ୍ଲ ପଣ୍ଡା କହିଥିଲେ ଯେ, ଶିକ୍ଷାର ମୂଳ ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀଙ୍କ ମନୋବଳ ଓ ଦକ୍ଷତାର ବିକାଶ ।ପ୍ରଖ୍ୟାତ ଶିକ୍ଷାବିଦ୍ ଡଃ ଦୁଷ୍ମନ୍ତ ମହାନ୍ତି କହିଥିଲେ ଯେ, ଶିକ୍ଷାକୁ ଯଦି କୌଶଳ ଓ ସାମାଜିକ ଦାୟିତ୍ୱ ସହ ଯୋଡ଼ାଯାଏ, ତେବେ ଏକ ସୁସ୍ଥ ସମାଜ ଗଠନ ସମ୍ଭବ । ଆଞ୍ଚଳିକ ନିର୍ଦ୍ଦେଶକ ଡଃ ରାଜେଶ କୁମାର ପାଢ଼ୀ କହିଥିଲେ ଯେ, ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଅଧିକ ସୁଯୋଗ ଦେବା ହିଁ “କୌଶଳ ସାଥୀ”ର ପ୍ରମୁଖ ଲକ୍ଷ୍ୟ ।

ସିକ୍ୟୁ ଫାଉଣ୍ଡେସନର ପ୍ରବନ୍ଧ ନିର୍ଦ୍ଦେଶକ ରାକେଶ ପାଢ଼ୀ କହିଥିଲେ ଯେ, ସମାଜରେ ଥିବା ପ୍ରତିଭାମାନଙ୍କୁ ଖୋଜି ସମ୍ମାନିତ କରିବା ଓ ସେମାନଙ୍କୁ ଆଗକୁ ଆଣିବା ହେଉଛି ଏହି ପ୍ରୟାସର ମୂଳ ଉଦ୍ଦେଶ୍ୟ । ତାଙ୍କ ଅଧ୍ୟକ୍ଷତାରେ କୌଶଳ, ଉଦ୍ୟୋଗୀତା ଓ ଶିକ୍ଷାକୁ ନେଇ ଏକ ଖୋଲା ଆଲୋଚନା ସଭା ମଧ୍ୟ ସଫଳତାର ସହ ଆୟୋଜିତ ହୋଇଥିଲା ।କାର୍ଯ୍ୟକ୍ରମରେ ୮ଟି ଗ୍ରାମୀଣ ବିଦ୍ୟାଳୟକୁ “ରୁରାଲ କଣ୍ଟ୍ରିବ୍ୟୁଟର” ବର୍ଗରେ ସମ୍ମାନିତ କରାଯାଇଥିଲା । ମଧ୍ୟଭାଗରେ ଡଃ ରାଜେଶ କୁମାର ପାଢ଼ୀ ଓ ଓଲିଉଡ଼ର ପ୍ରଖ୍ୟାତ ଗାୟିକା ଅସୀମା ପଣ୍ଡାଙ୍କ “ଜୟ ଜଗନ୍ନାଥ ହରେ” ନାମକ ଏକ ଆଧ୍ୟାତ୍ମିକ ଅଡିଓ ଆଲବମ୍‌ର ଉନ୍ମୋଚନ ହୋଇଥିଲା, ଯାହା ଉପସ୍ଥିତ ଦର୍ଶକଙ୍କ ମନକୁ ଭାବବିହ୍ୱଳ କରିଥିଲା । ପରିଶେଷରେ ନର୍ସିଙ୍ଗ ପ୍ରିନସିପାଲ ଡ଼ଃ ଉର୍ମିଳା କାଟରୁ ଧନ୍ୟବାଦ ଜଣେଇ ସଭାର ପରିସମାପ୍ତି ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!
Powered by Joinchat