ଯୁବତୀ ଚାଲାଣ ମାମଲାରେ ୪ ଗିରଫ,ମଧ୍ୟପ୍ରଦେଶରୁ ୨ ଓ ଅନୁଗୋଳରୁ ୨ ଗିରଫ

ଅନୁଗୋଳ (ଅଜିତ କୁମାର ଭୋଇ) :ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ଅପହରଣ କରି ମଧ୍ୟପ୍ରଦେଶ ନେଇଯିବା ଅଭିଯୋଗରେ ଅନୁଗୋଳ ପୁଲିସ ୩ ଦିନ ମଧ୍ୟରେ ତାଙ୍କୁ ଉଦ୍ଧାର କରିଛି। ଏହି ଘଟଣାରେ ୪ ଜଣ ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ମଧ୍ୟପ୍ରଦେଶର ଓ ୨ ଜଣ ଅନୁଗୋଳର ବୋଲି ପୁଲିସ କହିଛି।ଏନେଇ ଅନୁଗୋଳ ଟାଉନ୍ ଥାନାରେ ୨୮ ସେପ୍ଟେମ୍ବରରେ ମାମଲା ରୁଜୁ ହୋଇଥିଲା। ପୁଲିସ ସୂଚନା ଅନୁଯାୟୀ, ସେହି ରାତି ପ୍ରାୟ ୮ଟା ୫୦ରେ ଯୁବତୀଙ୍କ ବାପା ଅନନ୍ଦ ନାଏକ ଝିଅ ନିଖୋଜ ଥିବା ନେଇ ଥାନାରେ ଜଣାଇଥିଲେ। ବର୍ଷା ହେଉଥିବାରୁ ଯୁବତୀ ପୁରୁଣା ବସ୍‌ଷ୍ଟାଣ୍ଡ ନିକଟ ଏକ ଦୋକାନରେ ଆଶ୍ରୟ ନେଇଥିଲେ। ସେଠାରୁ ତାଙ୍କୁ ନେଇଯାଇଥିବା ଅଭିଯୋଗ ହୋଇଥିଲା।ପରେ ଯୁବତୀ ଫୋନ୍‌ରେ ପରିବାରଲୋକଙ୍କୁ ନିଜ ଅବସ୍ଥାନ ଜଣାଇଥିଲେ। ଏହାପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।

ପୁଲିସ କହିଛି ଯେ, ୯ ଜୁଲାଇରେ ଯୁବତୀ ପ୍ରଗତିନଗର ଅଞ୍ଚଳର ଏକ ଚର୍ଚ୍ଚକୁ ଯାଉଥିବା ବେଳେ ଟୁନା ମୁଖୀ ଓ ତାଙ୍କ ସ୍ତ୍ରୀ ଟୁନି ମୁଖୀ ତାଙ୍କୁ ନେଇଯାଇଥିଲେ। ପରେ ଟ୍ରେନ୍‌ରେ ମଧ୍ୟପ୍ରଦେଶର ସାଗର ଜିଲ୍ଲାକୁ ନେଇ ସନ୍ଧ୍ୟା ସେନ୍‌ଙ୍କ ଘରେ ରଖିଥିବା ଅଭିଯୋଗ ହୋଇଛି।ସେଠାରେ ଯୁବତୀଙ୍କୁ ମାଡ଼ ମାରି ଜୋରକରି ବିବାହ କରାଯାଇଥିବା ପୁଲିସ କହିଛି। ପରେ ତାଙ୍କୁ ସୁରେଶ ଅହିରୱାରଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କାରେ ଦିଆଯାଇଥିବା ଅଭିଯୋଗ ରହିଛି। ସୁରେଶ ମଧ୍ୟ ଯୁବତୀଙ୍କୁ ଜୋରକରି ବିବାହ କରି ରଖିଥିବା ପୁଲିସ କହିଛି।ଘଟଣା ପରେ ଅନୁଗୋଳ ଏସ୍‌ପିଙ୍କ ନିର୍ଦ୍ଦେଶରେ ଦୁଇଟି ପୁଲିସ ଟିମ୍ ଗଠନ ହୋଇଥିଲା। ଏସ୍‌ଆଇ ଆଦିତ୍ୟ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ୍ ସାଗର ଜିଲ୍ଲାକୁ ଯାଇ ଯୁବତୀଙ୍କୁ ଉଦ୍ଧାର କରିଥିଲା। ସେଠାରୁ ସୁରେଶ ଅହିରୱାର ଓ ସନ୍ଧ୍ୟା ସେନ୍‌ଙ୍କୁ ଗିରଫ କରାଯାଇଥିଲା।

ଅନ୍ୟ ଏକ ଟିମ୍ ଅନୁଗୋଳର ସୌଭାଗ୍ୟନଗରରେ ଚଢ଼ଉ କରି ଟୁନା ମୁଖୀ ଓ ତାଙ୍କ ସ୍ତ୍ରୀ ଟୁନି ମୁଖୀଙ୍କୁ ଗିରଫ କରିଥିଲା।ପୁଲିସ ଅଭିଯୁକ୍ତମାନଙ୍କଠାରୁ ମୋବାଇଲ୍ ଫୋନ୍, ଆଧାର କାର୍ଡ ଓ ଅନ୍ୟ କାଗଜପତ୍ର ଜବତ କରିଛି।ଯୁବତୀଙ୍କୁ ଶୀଘ୍ର ଉଦ୍ଧାର କରିବା ସହ ୪ ଜଣଙ୍କୁ ଗିରଫ କରିବାରେ ପୁଲିସ ଟିମ୍‌ର ଭୂମିକାକୁ ପୁଲିସ ପକ୍ଷରୁ ପ୍ରଶଂସା କରାଯାଇଛି। ତଦନ୍ତରେ ଡିଏସ୍‌ପି, IUCAW ଅନୁଗୋଳ ଯୋଗେଶ୍ୱରୀ ବେହେରା, ଏସ୍‌ଆଇ ଆଦିତ୍ୟ ପଟ୍ଟନାୟକ, କନଷ୍ଟେବଲ୍ ଏସ୍‌. ବିଶ୍ୱାଳ ଓ କନଷ୍ଟେବଲ୍ ସଂଘମିତ୍ରା ଦେହୁରୀ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *

Powered by Joinchat