ଅନୁଗୋଳ (ଅଜିତ କୁମାର ଭୋଇ) : ଜୀବନ ଅଛି ମାନେ ମୃତ୍ୟୁ ସୁନିଶ୍ଚିତ। ମଣିଷର ମୃତ୍ୟୁ ହେଲେ ଶ୍ମଶାନ ରେ ଶବ ଦାହ କରାଯାଏ। ହେଲେ ଶବ ଦାହ ପାଇଁ ଜାଳେଣି କାଠ ସଂଗ୍ରହ ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇନଥାଏ। ଏହି ସମସ୍ୟାକୁ ଦେଖି ବଅଁରପାଳ ବ୍ଲକ ର ବିଭିନ୍ନ ପଂଚାୟତରେ ” ବିଦାୟର ଶେଷ ବନ୍ଧୁ ” ସାମାଜିକ ସଂଗଠନ ମାଧ୍ୟମରେ ଗରୀବ, ଅସହାୟ ଲୋକଙ୍କୁ ଶବ ଦାହ ନିମନ୍ତେ ମାଗଣା ଜାଳେଣି କାଠ ଦାନ ପ୍ରଦାନ କରାଯିବ। ଗଡସନ୍ତ୍ରୀ ଗ୍ରାମର ସତ୍ୟ ନାରାୟଣ ସେବା ସଂଘ ଆନୁକୂଲ୍ୟରେ ” ବିଦାୟର ଶେଷ ବନ୍ଧୁ ” ସାମାଜିକ ସଂଗଠନ ଆରମ୍ଭ କରାଯାଇଛି।
ଗଡସନ୍ତ୍ରୀ ପଂଚାୟତ ସ୍ଥିତ ଗୋଲା ପଡିଆ ଠାରେ ଆଜି ଏହାର ଶୁଭ ଉଦଘାଟନ ହୋଇଯାଇଛି। ବଅଁରପାଳ ଅଞ୍ଚଳର ଯୁବ ସମାଜସେବୀ #ଅଭିମନ୍ୟୁ_ସାହୁ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ‘ବିଦାୟର ଶେଷ ବନ୍ଧୁ’ ପାଇଁ ସମ୍ପୂର୍ଣ୍ଣ ସହଯୋଗ ରହିବା ସହ ଯେତେବେଳେ ଯାହା ଦରକାର ପଡିବ ସାହାଯ୍ୟ କରିବାକୁ ସୂଚନା ଦେଇଥିଲେ ସମାଜସେବୀ ଅଭିମନ୍ୟୁ। ଶବ ଦାହ ପାଇଁ ଜାଳେଣି କାଠ ସଂଗ୍ରହ , ଆବଶ୍ୟକୀୟ ଉପକରଣ ଯୋଗାଇ ଦେବେ ବୋଲି ମଧ୍ୟ ଆଜିର ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ସୂଚନା ଦେଇଛନ୍ତି ଶ୍ରୀ ସାହୁ।
ଏହିଭଳି ଏକ ମହାନ ସେବା କାର୍ଯ୍ୟ ଆରମ୍ଭ କରିଥିବା ଗଡସନ୍ତ୍ରୀ ସତ୍ୟ ନାରାୟଣ ସେବା ସଂଘର ସମସ୍ତ ସଦସ୍ୟ ଙ୍କୁ ଧନ୍ୟବାଦ ଦେଇଛନ୍ତି ଶ୍ରୀ ସାହୁ। ଏହି କାର୍ଯ୍ୟକ୍ରମ ରେ ବିଜେଡି, ବିଜେପି ଓ କଂଗ୍ରେସ ଦଳର କର୍ମକର୍ତ୍ତା, ଗଡସନ୍ତ୍ରୀ ସରପଞ୍ଚ ଟଙ୍କଧର ମାଝୀ, ବଅଁରପାଳ ବ୍ଲକ କଂଗ୍ରେସ ସଭାପତି ବିନୋଦ ମାଝୀ, ବନ୍ଦା ସମିତି ସଭ୍ୟ ଦୁଷ୍ମନ୍ତ ଗଡନାୟକ, ଗ୍ରାମ୍ୟ କମିଟି ସଭାପତି, ସମ୍ପାଦକ, ମା’ ଲୋଭୀ ଟ୍ରଷ୍ଟ ବୋର୍ଡ ର ସଭାପତି ସୁନୀଲ ମାଝୀ, ପତିତପାବନ ମାଝୀ ପ୍ରମୂଖ ଉପସ୍ଥିତ ଥିଲେ।
