ଏକଦା ବିଜୁ ବାବୁଙ୍କ ନିର୍ବାଚନ କ୍ଷେତ୍ର ଥିଲା ପାଟକୁରା। ଏଥର ପାଟକୁରା ନିର୍ବାଚନ ମଣ୍ଡଳିରେ ଦେଖାଦେଇଛି ନିର୍ବାଚନି ଉଷ୍ମତା । ତିନି ପ୍ରମୁଖ ଦଳ ବିଜେଡି,ବିଜେପି ଓ କଂଗ୍ରେସର ବିଧାୟଜ ପ୍ରାର୍ଥୀ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ଚଳିତ ନିର୍ବାଚନରେ ବିଜେଡି ପୁନର୍ବାର ଜିତିବା ରଣନୀତି କରୁଥିବା ବେଳେ ବିଜେପି ଓ କଂଗ୍ରେସ ପରିବର୍ତନ ପାଇଁ ଆଶାରଖିଛନ୍ତି ।
ରାଜ୍ୟରେ ବିଶେଷ ଗୁରୁତ୍ୱ ବହନ କରେ କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ନିର୍ବାଚନ ମଣ୍ଡଳି । ବିଜେଡି ଦଖଲରେ ଥିବା ଏହି ଆସନ ପାଇଁ ଏଥର କଡା ଟକ୍କର ଦେଖିବେ ଜନତା । ବିଜେଡିରୁ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର, ବିଜେପିରୁ ଯୁବ ସଙ୍ଗଠକ ତେଜେଶ୍ୱର ପରିଡା ଓ କଂଗ୍ରେସରୁ ରତିକାନ୍ତ କାନୁନ୍ ଗୋ ଚଳିତ ଥର ନିର୍ବାଚନ ମଇଦାନରେ ଅଛନ୍ତି । ବିଜେଡି ,ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀମାନେ ନିର୍ବାଚନ ମଣ୍ଡଳିର ବିଭିନ୍ନ ଅଂଚଳରେ କର୍ମୀ ସମ୍ମିଳନୀ, ରୋଡ-ସୋ କରିବା ସହିତ ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟ ମାଗୁଛନ୍ତି ।
ଗରଦପୁର ବ୍ଲକର ୧୮ ପଂଚାୟତ, ଡେରାବିଶ ବ୍ଲକର ୨୬ ପଂଚାୟତ ଓ ମାର୍ଶାଘାଈ ବ୍ଲକର ୭ ପଂଚାୟତକୁ ନେଇ ଗଠିତ ପାଟକୁରା ନିର୍ବାଚନ ମଣ୍ଡଳି । ଏଠାରେ ମୋଟ ଭୋଟରଙ୍କ ସଂଖ୍ୟା ପ୍ରାୟ ୨ ଲକ୍ଷ ୫୧ ହଜାର ୫୪୮ । ବିଜେଡି ବିଧାୟକ ପ୍ରାର୍ଥୀ ପାଟକୁରା ନିର୍ବାଚନ ମଣ୍ଡଳିର ବିକାଶକୁ ମୁଖ୍ୟ ମୁଦ୍ଦା କରିଥିବା ବେଳେ ଏଥର ପରିବର୍ତନର ନାରା ଦେଇ ଭୋଟଭିକ୍ଷା କରୁଛନ୍ତି ବିଜେପି ପ୍ରାର୍ଥୀ ତେଜେଶ୍ୱର ପରିଡା । ବିଜେଡି ଲଗାତାର ଭାବେ ପାଟକୁରା ନିର୍ବାଚନ ମଣ୍ଡଳି ନିଜ ହାତରେ ମୁଠାରେ ରଖିବାକୁ ଆଶା ବାନ୍ଧିଥିବା ବେଳେ ବିଜେପି ଓ କଂଗ୍ରେସ ଏଥର ପରିବର୍ତନ ପାଇଁ ଅଂଟା ଭିଡିଛନ୍ତି ।