ଭୁବନେଶ୍ୱର ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବିରୋଧୀ ବାରମ୍ବାର ଆଶଙ୍କା ପ୍ରକାଶ କରୁଛନ୍ତି। ବିଶେଷକରି ବିଜେପିର କେନ୍ଦ୍ରୀୟ ଓ ରାଜ୍ୟ ନେତୃବର୍ଗ। ମୁଖ୍ୟମନ୍ତ୍ରୀ କଣ ଗୃହବନ୍ଦୀ ? ମୁଖ୍ୟମନ୍ତ୍ରୀ ସୁସ୍ଥ ତ ? ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧକ ରଖିଛନ୍ତି କି ତାଙ୍କର ପୂର୍ବତନ ସଚିବ ଭି.କେ. ପାଣ୍ତିଆନ ?
ଅନେକ ଘଟଣାରୁ ଏହା ପ୍ରାମାଣିତ ହୋଇସାରିଛି ବୋଲି କହିଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ସଚିବ, ଡିଜିପି କଥା ହେଉଛନ୍ତି କି ନାହିଁ ସନ୍ଦେହ କରିଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ ଅବସ୍ଥା କଣ ଜାଣିବା ଅଧିକାର ରାଜ୍ୟବାସୀଙ୍କର ଅଛି ବୋଲି ରାଜ୍ୟ DG ଙ୍କୁ ଚିଠି ଲେଖି ଜଣାଇଛି।
ସେପଟେ ବିଜେପିର ଏପରି ଆରୋପ ଉପରେ ପ୍ରତିକ୍ରିୟା ରଖିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ “ମୁଁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛି ଏବଂ ରାଜ୍ୟ ସାରା ନିର୍ବାଚନ ପାଇଁ ପ୍ରଚାର କରୁଛି। ଭାରତୀୟ ଜନତା ପାର୍ଟି ମୋ ସ୍ୱାସ୍ଥ୍ୟ ବିଷୟରେ ଲଗାତର ମିଛ କହି ଆସୁଛି”। ଏହି ଭଳି କହି ବିଜେପିକୁ କଡ଼ା ଜବାବ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
ଖବର ସରବରାହ ସଂସ୍ଥା ANIକୁ ମୁଖ୍ୟମନ୍ତ୍ରୀ ନବୀନ ମନ୍ତବ୍ୟ ଦେଇ କହିଛନ୍ତି । ମିଛ କହିବାର ଗୋଟିଏ ସୀମା ଥାଏ । କିନ୍ତୁ ବିଜେପି ମିଛ କହିବାର ସବୁ ସୀମା ଟପି ଯାଇଛି । ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି, ମାସେ ହେଲା ରାଜ୍ୟ ସାରା ପ୍ରଚାର କରୁଛି ବୋଲି ଜଣାଇ ଦେଇଛନ୍ତି ନବୀନ । ସେପଟେ ପ୍ରଧାନମନ୍ତ୍ରୀ ମଧ୍ୟ ଓଡ଼ିଶା ଗସ୍ତରେ ଆସି ଚିନ୍ତା ପ୍ରକଟ କରିଥିଲେ ।
ପାଣ୍ଡିଆନ ସବୁ କବଜା କରି ନେଇଛନ୍ତି ଓ ଯାହା ଲେଖିକି ଦେଉଛନ୍ତି, ତାହାକୁ ପଢ଼ୁଛନ୍ତି ନବୀନ। ଓଡ଼ିଶାରେ ପାଣ୍ଡିଆନଙ୍କ ବିନା ସରକାରରେ କେହି ଦିଶୁ ନାହାନ୍ତି । ପାଣ୍ଡିଆନଙ୍କୁ ହଟାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଏହି ନିର୍ବାଚନ।ଏହା କହି କଡ଼ା ନିଶାନା କରିଥିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।