ଏ ବର୍ଷ ଆଇପିଏଲର ବିଜେତା ହୋଇଛି KKR । ରବିବାର ଚେନ୍ନାଇରେ ଟୁର୍ଣ୍ଣାମେଣ୍ଟର ମେଗା ଫାଇନାଲରେ ସନରାଇଜର୍ସ୍ ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କରି ଏକତରଫା ବିଜୟ ହାସଲ କରିଛି କେକେଆର୍। ଏଥିସହ ଦଳ ତୃତୀୟ ଥର ପାଇଁ ଆଇପିଏଲ୍ ଟ୍ରଫି ହାତେଇଛି।କୋଲକାତା ଟିମ୍ ପୂର୍ବରୁ ୨୦୧୨ ଓ ୨୦୧୪ରେ ଚାମ୍ପିଅନ୍ ହୋଇଥିଲା।
କୋଲକାତା ପାଇଁ ଭେଙ୍କଟେସ୍ ଆୟର ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୨୬ଟି ବଲ୍ ଖେଳି ୪ଟି ଚୌକା ଓ ୩ଟି ଛକା ବଳରେ ଅପରାଜିତ ୫୨ ରନ୍ ସଂଗ୍ରହ କରିଥିଲେ। ସେହିପରି ପ୍ରାରମ୍ଭିକ ବ୍ୟାଟର ରହମାନୁଲ୍ଲା ଗୁରବାଜ ୩୯ ରନ୍ ସଂଗ୍ରହ କରିଥିଲେ। ସେ ୩୨ଟି ବଲ୍ ଖେଳି ୫ଟି ଚୌକା ଓ ୨ଟି ଛକା ମାରିଥିଲେ। ସୁନୀଲ ନାରାୟଣ ୬ ରନ୍ ଓ ଅଧିନାୟକ ଶ୍ରେୟସ ଆୟର ଅପରାଜିତ ୬ ରନ୍ କରିଥିଲେ।
ଆଇପିଏଲ୍ ଫାଇନାଲରେ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ସନରାଇଜର୍ସ୍ ହାଇଦ୍ରାବାଦ। ହେଲେ ଦଳ ପ୍ରଥମରୁ ବିପର୍ଯୟର ଶିକାର ହୋଇଥିଲା। ମିଚଲ ଷ୍ଟାର୍କ, ଆନ୍ଦ୍ରେ ରସେଲଙ୍କ ସମେତ କେକେଆରର ଅନ୍ୟ ବୋଲରଙ୍କ ଘାତକ ବୋଲିଂ ଆଗରେ ହାଇଦ୍ରାବାଦର ଗୋଟେ ପରେ ଗୋଟେ ୱିକେଟ ପଡ଼ିବାକୁ ଲାଗିଲା।ହାଇଦ୍ରାବାଦ ୧୮.୩ ଓଭରରେ ୧୧୩ ରନ କରି ଅଲଆଉଟ ହୋଇଥିଲା। କେକେଆର ପକ୍ଷରୁ ଆନ୍ଦ୍ରେ ରସେଲ ୩ଟି, ମିଚଲ ଷ୍ଟାର୍କ ଓ ହର୍ଷିତ ରାଣା ୨ଟି ଲେଖାଏଁ ୱିକେଟ ନେଇଥିଲେ।