ଚିଲିକା ବିଧାୟକ ତଥା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କୁ ଇଭିଏମ୍ ମେସିନ୍ ଭଙ୍ଗା ଅଭିଯୋଗରେ ଗିରଫ କରାଥିଲା । ଯାହାକୁ ନେଇ ଏବେ ରାଜ୍ୟ ପୁଲିସ୍ ଓ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଭୂମିକା ସନ୍ଦେହଘେରକୁ ଆସିଛି। ଆଜି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଶ୍ରୀ ଜଗଦେବ ଭୋଟ୍ ଦେଉଥିବା ବେଳର ସିସିଟିଭି ଫୁଟେଜ୍ ସାର୍ବଜନୀନ କରିବା ପରେ ରାଜ୍ୟ ପୁଲିସ ଓ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଅସଲ ଚରିତ୍ର ପଦାରେ ପଡ଼ିଛି।
ଏହା ପୂର୍ବରୁ ଇଭିଏମ୍ ଭଙ୍ଗା ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ବୟାନ ଦେବାକୁ ପୋଲିସର ଜୁଲମ୍ ଅଭିଯୋଗ । ଏଥିପାଇଁ ପୋଲିସ୍ ଧମକ ଚମକ ଦେବା ସହ ମାଡ଼ ମାରିଥିବାର ସାଂଘାତିକ ଅଭିଯୋଗ ଆଣିଥିଲେ ଘଟଣା ଦିନ ଅପରାଜିତା ଓ ଜଗଦ୍ଦେବଙ୍କୁ ନେଇ ବେଗୁନିଆ ଯାଇଥିବା ଏକ ଘରୋଇ ଗାଡ଼ିର ମାଲିକ ତଥା ଡ୍ରାଇଭର ବନମାଳି ବେହେରା ।
ସୂଚନାଯୋଗ୍ୟ ଯେ ଅପରାଜିତା ନିଜ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ସିସିଟିଭି ଫୁଟେଜ । ଯେଉଁଥିରେ ଜଣାପଡୁଛି ଯେ, ବୁଥ୍ ଭିତରେ କେତେ ଭିଡ଼ ଓ ହୋ ହଲ୍ଲା ବି ଚାଲିଥିଲା । ଏହାରି ଭିତରେ ଜଗଦେବ ଲୋକସଭା କମ୍ପାର୍ଟମେଣ୍ଟରେ ନିଜ ମତଦାନ ସାବ୍ୟସ୍ତ କରୁଛନ୍ତି। ଏହାପରେ ସେ ବିଧାନସଭା କମ୍ପାର୍ଟମେଣ୍ଟ ଆଡକୁ ମତଦାନ କରିବାକୁ ଯାଉଥିବାବେଳେ, କେହି ଜଣେ ଯୁବକଙ୍କ ଧକ୍କାରେ ଇଭିଏମ୍ ସହ କମ୍ପାର୍ଟମେଣ୍ଟଟି ଭାଙ୍ଗି ତଳେ ପଡିଯାଇଥିଲା । ଇଭିଏମ୍ କମ୍ପାର୍ଟମେଣ୍ଟ ଭାଙ୍ଗୁଥିବା ବେଳେ ଜଗଦ୍ଦେବ ସେଠାରୁ ବହୁ ଦୂରରେ ଥିଲେ।
ଏଠି ପ୍ରଶ୍ନ, ବୁଥ୍ ଭିତରେ ଏତେ ସଂଖ୍ୟକ ଲୋକ ପଶିଲେ କେମିତି? ଏଭଳି ଭିଡ଼ରେ ମତଦାନ କେମିତି ଚାଲିଥିଲା ? ଆଇନ୍ ଶୃଙ୍ଖଳା ନିୟନ୍ତ୍ରଣ କରିବା ପାଇଁ ମୁତୟନ ପୋଲିସ୍ କରୁଥିଲା କଣ? ପ୍ରିଜାଇଡିଂ ଅଫିସର୍ ଉତ୍ତେଜନାମୂଳକ ସ୍ଥିତିକୁ ନିୟନ୍ତ୍ରଣ ପାଇଁ ତୁରନ୍ତ କାହିଁକି ଫୋର୍ସ ଡକାଇଲେନି ?
ତୃତୀୟ ମହଲା ଇଙ୍ଗିତରେ ଏସବୁ କାଣ୍ଡ ଘଟାଯାଇଛି । ଜଣେ ଜିଲ୍ଲା ସରକାରୀ କର୍ମଚାରୀ ଏହି ସୂଚନା ଦେଇଛନ୍ତି। ଅପରାଜିତା ସାମ୍ୱାଦିକ ସମ୍ମିଳନୀରେ ଅଭିଯୋଗ କରି ଶାସକ ଦଳକୁ ହରଡଘଣାରେ ପକାଇଛନ୍ତି।