ଇଟାନଗର : ଅରୁଣାଚଳରେ ପୁଣି ଫୁଟିଲା ପଦ୍ମ, ମୋଟ ୬୦ ଆସନରୁ ୪୫ଟି ଆସନରେ ବିଜେପି ଜିତିଥିବା ସୂଚନା ମିଳିଛି। ସେହିପରି ୧ଟି ଆସନରେ ଦଳ ଏବେବି ଆଗୁଆ ରହିଛି। ତେବେ ଏହି ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ବିଜେପି ଏଠାରେ ଲଗାତର ତୃତୀୟଥର ପାଇଁ ସରକାର ଗଢ଼ିବା ଏକ ପ୍ରକାର ସ୍ପଷ୍ଟ ହୋଇଛି।
ଅର୍ଥାତ୍ ଭାଜପା ନେତୃତ୍ୱାଧିନ ପେମା ଖାଣ୍ଡୁ ସରକାର ଗଢିବାକୁ ଯାଉଛନ୍ତି। ଯାହାକୁ ନେଇ ରାଜ୍ୟର ଭାଜପା ଶିବିର ଉତ୍ସବ ମୁଖର ହୋଇ ଉଠିଛି। ଭାଜପା କର୍ମୀ ଓ ନେତାମାନେ ବାଜା ବଜାଇ ବାଣ ଫୁଟାଇ ସେଲିବ୍ରେଶନ କରୁଛନ୍ତି । ପ୍ରଦେଶରେ ବିଜେପିର ଏହି ବମ୍ପର ବିଜୟ ପଛରେ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କୁ ପ୍ରଚ୍ଛଦ ହାତ ରହିଛି । ତାଙ୍କ ନେତୃତ୍ୱରେ ବିଜେପି ସେଠାରେ ମୈଦାନକୁ ଓହ୍ଲାଇଥିଲା ,ଏବେ ଏକତରଫା ବିଜୟ ହାସଲ କରିଛି ।
ପେମା ଖାଣ୍ଡୁ କିଏ?
୨୦୧୬ରେ ସେ ପ୍ରଥମ କରି ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ହେଇଥିଲେ । ଏହାପରେ ୨୦୧୯ରେ ତାଙ୍କରି ନେତୃତ୍ୱରେ ବିଜେପି ଜବରଦସ୍ତ ବିଜୟ ହାସଲ କରିଥିଲା । ତାଙ୍କ ନେତୃତ୍ୱରେ ବିଜେପି ୨୦୧୯ରେ ୪୧ ଆସନ ହାସଲ କରିଥିଲା । ଏହାପରେ ଏବେ ସେ ୩ୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି ।୧୯୭୯ ମସିହା ଅଗଷ୍ଟ ୨୧ ତାରିଖରେ ଜନ୍ମ ଗ୍ରହଣ କରିଥିବା ପେମା ଖାଣ୍ଡୁଙ୍କ ବାପା ଦୋରଜୀ ଖାଣ୍ଡୁ ମଧ୍ୟ ଅରୁଣାଚଳ ପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ । ୨୦୧୧ ମସିହାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହେଇଥିଲା ।
ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହିନ୍ଦୁ କଲେଜରୁ ଗ୍ରାଜୁଏସନ୍ ପାସ୍ କରିଛନ୍ତି ।ପରେ ୨୦୦୦ ମସିହାରେ ପେମା ଖାଣ୍ଡୁ କଂଗ୍ରେସରେ ସାମିଲ ହେଇଥିଲେ । ତେବେ ୨୦୧୧ ମସିହାରେ ମୁକ୍ତୋ ନିର୍ବାଚନ ମଣ୍ଡଳୀରୁ ସେ ନିର୍ବିରୋଧ ଭାବେ ବିଧାୟକ ନିର୍ବାଚିତ ହେଇଥିଲେ । ଏହାପରେ ତାଙ୍କୁ ମନ୍ତ୍ରୀମଣ୍ଡଳରେ ମଧ୍ୟ ସାମିଲ କରାଯାଇଥିଲା । ୨୦୧୪ରେ ରାଜ୍ୟର ପର୍ଯ୍ୟଟନ ଏବଂ ଜଳ ସମ୍ପଦ ବିଭାଗର ମନ୍ତ୍ରୀ ହେଇଥିଲେ।
କଂଗ୍ରେସ ସହ ବିଦ୍ରୋହ
୨୦୧୬ ମସିହାରେ ପେମା ଖାଣ୍ଡୁ କଂଗ୍ରେସ ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହେଇଥିଲେ । ଆଉ ଜୁଲାଇ ୧୭ ତାରିଖରେ ସେ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ହେଲେ ସରକାର ସମ୍ଭାଳିବାର ମାତ୍ର ଦୁଇ ମାସ ଭିତରେ ସେ କଂଗ୍ରେସ ସହ କରିଥିଲେ ବିଦ୍ରୋହ ।
ସେପ୍ଟେମ୍ବର ୧୬ ତାରିଖରେ ପେମା ଖାଣ୍ଡୁଙ୍କ ନେତୃତ୍ୱରେ ୪୩ ବିଧାୟକ କଂଗ୍ରେସ ଛାଡି ବିଜେପିର ସହଯୋଗୀ ପିପିପିରେ ସାମିଲ ହେଇଥିଲେ । ବିଜେପିର ସହ ମିଶି ସରକାର ଗଢିଥିଲେ । ଆଉ ପରେ ବିଦ୍ଧିବଦ୍ଧ ଭାବେ ବିଜେପିରେ ସାମିଲ ହେଇଯାଇଥିଲେ ।
ଗିଗୋଙ୍ଗ ଓପାଙ୍ଗଙ୍କ ପରେ ଅରୁଣାଚଳ ପ୍ରଦେଶରେ ଦ୍ୱିତୀୟ ବିଜେପି ମୁଖ୍ୟମନ୍ତ୍ରୀ ହେଇଥିଲେ ପେମା ଖାଣ୍ଡୁ । ଏହାପରେ ୨୦୧୯ରେ ତାଙ୍କରି ନେତୃତ୍ୱରେ ବିଜେପି ନିର୍ବାଚନ ଲଢି ସଫଳତା ପାଇଥିଲା।