ରାଜ୍ୟର ୧୪୭ଟି ବିଧାନସଭା ଏବଂ ୨୧ଟି ଲୋକସଭା ଆସନ ପାଇଁ ଆଜିଭୋଟ୍ ଗଣତି ହେବ । ଏଥିପାଇଁ ପୃଥକ୍ ଭାବେ ୧୬୮ଟି କେନ୍ଦ୍ରରେ ଭୋଟ୍ ଗଣତି କରାଯିବ । ରାଜ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ଶେଷ ହେବା ପରେ ବିଭିନ୍ନ ସ୍ଥାନରେ ଥିବା ଅଣସ୍ତରୀଟି ଷ୍ଟ୍ରଙ୍ଗରୁମ୍ରେ ଇଭିଏମ୍ ଗୁଡ଼ିକୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି । ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବ୍ୟାଲେଟ୍ ଗଣନା ହେବା ପରେ ୮ଟା ୩୦ ମିନିଟ୍ରୁ ଇଭିଏମ୍ ଭୋଟ ଗଣନା ହେବ । ଲୋକସଭା ଏବଂ ବିଧାନସଭା ଆସନ ଭୋଟ୍ ଗଣତି ପାଇଁ ଅଲଗା ଅଲଗା ଟେବୁଲ ବ୍ୟବସ୍ଥା କରାଯାଇଛି ।
ଏହାପୂର୍ବରୁ ରାଜ୍ୟ କ୍ୟାବିନେଟର ସୁପାରିଶ ପରେ ଷୋଡ଼ଶ ବିଧାନସଭାକୁ ଭଙ୍ଗ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ବିଧାନସଭା ନିର୍ବାଚନ ଭୋଟ ଗଣତିର ଦିନକ ପୂର୍ବରୁ ଷୋଡ଼ଶ ବିଧାନସଭାକୁ ଭଙ୍ଗ ପାଇଁ ରାଜ୍ୟ କ୍ୟାବିନେଟ୍ ସୁପାରିଶ କରିଥିଲା।
ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଭାରତୀୟ ସମ୍ବିଧାନର ଧାରା ୧୭୪(୨)(ଖ)ରେ ପ୍ରଦତ୍ତ କ୍ଷମତାର ଉପଯୋଗ କରି ଜାତୀୟ ନିର୍ବାଚନ କମିଶନଙ୍କ ୨୦୧୯ ମେ’ ୨୫ତାରିଖ ବିଜ୍ଞପ୍ତି ଆଧାରରେ ଗଠିତ ଓଡ଼ିଶା ବିଧାନସଭାକୁ ଭଙ୍ଗ କରାଗଲା ।