ଭୁବନେଶ୍ବର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିଶ୍ରୁତି ଅନୁସାରେ ରାଜ୍ୟରେ ବିଜେପି ସରକାର ଗଢ଼ିଲା ପରେ ଭକ୍ତମାନେ ସିଂହଦ୍ବାର ସମେତ ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ।ବର୍ତ୍ତମାନ ପରିପ୍ରେକ୍ଷୀରେ ସିଂହଦ୍ୱାର ପଟେ ପ୍ରବେଶ ପାଇଁ ଅନୁମତି ଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଖରା ବର୍ଷାରେ ଧାଡ଼ିରେ ଛିଡ଼ା ହେବାକୁ ପଡୁଛି । ଦୀର୍ଘ ଦିନର ଦାବି ପରେ ମଧ୍ୟ ଦ୍ୱାର ଖୋଲୁ ନଥିବାରୁ ଭକ୍ତଙ୍କ ମନରେ ଅସନ୍ତୋଷ ବଢ଼ିଛି। ଏବେ ଓଡ଼ିଶାରେ ବିଜେପି ସରକାର ଆସିଥିବା ବେଳେ କେବେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବ ତାହାକୁ ଅପେକ୍ଷା କରିଛନ୍ତି।
ଚଳିତ ବର୍ଷ ନିର୍ବାଚନ ସମୟ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪ଥର ଓଡ଼ିଶା ଗସ୍ତରେ ଆସିଥିଲେ। ସେ ଭୁବନେଶ୍ବର, ପୁରୀ ଓ ଦେବଗଡ଼ରେ ରୋଡ ସୋ’ କରିଥିଲେ। ବ୍ରହ୍ମପୁର, ନବରଗଂପୁର, ବଲାଙ୍ଗୀର, ବରଗଡ଼, ଅନୁଗୁଳ, କଟକ, ବାରିପଦା, ବାଲେଶ୍ବର ଓ କେନ୍ଦ୍ରାପଡ଼ାରେ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିଥିଲେ। ସାଧାରଣ ଜନତାଙ୍କୁ ସେ କହିଥିଲେ, ଓଡ଼ିଶାରେ ବିଜେପି ସରକାର ଗଢ଼ିଲେ ଶ୍ରୀମନ୍ଦିରର ୪ ଦ୍ବାର ଖୋଲାଯିବ ଓ ରତ୍ନଭଣ୍ଡାର ଖୋଲାଯିବ। ମୋଦୀଙ୍କ ପ୍ରତିଶ୍ରୁତି ଅନୁସାରେ ସରକାର ଗଠନର ପ୍ରଥମ ଦିନର ୨୪ ଘଣ୍ଟା ମଧ୍ୟରେ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲାଯିବ।
ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ