୨୦୨୪ ନିର୍ବାଚନର ଅନ୍ୟତମ ଚର୍ଚ୍ଚିତ ଆସନ ଥିଲା କଣ୍ଟାବାଞ୍ଜି। କାରଣ ସେଠାରୁ ପ୍ରାର୍ଥୀ ହୋଇଥିଲେ ନିଜେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଫଳାଫଳ ଚକିତ କରିଦେଲା ସମସ୍ତଙ୍କୁ। ନବୀନ ଓ ପାଣ୍ଡିଆନ ସ୍ୱପ୍ନରେ ବି ଭାବି ନଥିବେ ଯେ ସେଠାରୁ ପରାସ୍ତ ହୋଇଯିବେ। ଲକ୍ଷ୍ମଣ ବାଗଙ୍କ ଠାରୁ ଅତି ଶୋଚନୀୟ ଭାବରେ ପରାସ୍ତ ହେଲେ ନବୀନ ।ଲକ୍ଷ୍ମଣଙ୍କୁ ହୁଏତ ତାଙ୍କ ଅଞ୍ଚଳ ଓ ଆଖପାଖ କିଛି ଜିଲ୍ଲାକୁ ଛାଡ଼ିଦେଲେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାର ଲୋକେ ଜାଣି ନ ଥିବେ।
ସୂଚନାଯୋଗ୍ୟ ଯେ, ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମର ହିଞ୍ଜିଳି ଓ ବଲାଙ୍ଗିର କଣ୍ଟାବାଞ୍ଜିରୁ ନିର୍ବାଚନ ଲଢ଼ୁଥିଲେ। ଉଭୟ ଆସନରେ ବିଜୟୀ ହେବେ ବୋଲି ଆଶା କରାଯାଉଥିଲା। ହେଲେ କଣ୍ଟାବାଞ୍ଜିର ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ନବୀନଙ୍କୁ ପରାସ୍ତ କରିଛନ୍ତି।ଲକ୍ଷ୍ମଣ ବାଗଙ୍କ ଗାଁ ନାଁ ଖୁଟୁଲୁମୁଣ୍ଡା। ବଲାଙ୍ଗିର ଜିଲ୍ଳାର ଦାଦନ ପ୍ରବଣ ତୁରେକେଲା ବ୍ଳକର ହିଆଁଲ ପଞ୍ଚାୟତ ପଞ୍ଚାୟତରେ ଅଛି ଏହି ଗାଁ। ଖୁଟୁଲୁମୁଣ୍ଡା ଗାଁର ସ୍ୱର୍ଗତ ଶଙ୍କର ବାଗଙ୍କର ୬ ପୁଅ ଭିତରେ ଲକ୍ଷ୍ମଣ ହେଉଛନ୍ତି ସବୁଠୁ ସାନ। ଲକ୍ଷ୍ମଣଙ୍କ ଦୁଇ ଜଣ ଭାଇଙ୍କର ଦେହାନ୍ତ ହୋଇସାରିଲାଣି। ଏବେ ସେମାନେ ଚାରି ଭାଇ ଅଛନ୍ତି। ଲକ୍ଷ୍ମଣଙ୍କ ବାପା ଶଙ୍କର ବାଗ ଜଣେ ଚାଷୀ ଥିଲେ। ତାଙ୍କ ପୁଅମାନେ ମଧ୍ୟ ଚାଷ କାମ କରୁଛନ୍ତି। ଚାଷ କରିବା ସହିତ ସେମାନେ ରାଜନୀତି କରୁଛନ୍ତି। ରାଜନୀତିରେ ବେଶ୍ ସକ୍ରିୟ ଥିବା ଲକ୍ଷ୍ମଣ ବାଗ ସିଧା ଲଢ଼ିଥିଲେ ବିଧାନସଭା ନିର୍ବାଚନ।
ବଲାଙ୍ଗିରରେ ନିର୍ବାଚନ ପ୍ରଚାର ସମୟରେ ଲକ୍ଷ୍ମଣ ବାଗଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଶେର୍’ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ- ‘ୟେ ହମାରା ଶେର ହୈ’। ଏହା ସହିତ ଲକ୍ଷ୍ମଣ ବାଗଙ୍କୁ ଭୋଟ୍ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ହରାନ୍ତୁ ବୋଲି ଲୋକଙ୍କୁ ଆହ୍ୱାନ ଦେଇଥିଲେ। ଯାହାକି ଫଳପ୍ରଦ ହେଲା ଓ ଲକ୍ଷ୍ମଣ ବିଜୟୀ ହେଲେ।