ଭଦ୍ରକ:ଦୁର୍ଘଟଣା ସ୍ଥଳକୁ ଆହତଙ୍କୁ ଚିକିତ୍ସାପାଇଁ ଯାଇଥିଲା ଆମ୍ବୁଲାନ୍ସ। ରାସ୍ତା ମଝିରେ ଜଳିଗଲା ୧୦୮। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଧୀନ ବେତଡ଼ା ବଜାରରେ ଘଟିଛି ଏହି ଅଘଟଣ।ସୂଚନା ଅନୁଯାୟୀ ଆଜି ଅପରାହ୍ଣରେ ନରସିଂହପୁର ପଞ୍ଚାୟତର କାଳିଦାସପୁର ଗ୍ରାମର ଉପେନ୍ଦ୍ର କୁମାର ସାହୁଙ୍କ ପୁଅ ବସନ୍ତ(୩୦) ବାଇକ୍ରେ ଜାମୁଝାଡ଼ିକୁ କୌଣସି କାମରେ ଯାଉଥିବା ସମୟରେ ପେଟ୍ରୋଲ ପମ୍ପ ନିକଟରେ ଏକ ପିକ୍ଅପ୍ ଭ୍ୟାନକୁ ଧକ୍କା ଦେଇ ଆହତ ହୋଇଥିଲେ।
ସ୍ଥାନୀୟ ଲୋକେ ବସନ୍ତଙ୍କୁ ଉଦ୍ଧାର କରିବା ସହ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ବେତଡ଼ା ଡାକ୍ତରଖାନାରେ ଥିବା ଆମ୍ବୁଲାନ୍ସଟି ଅଳ୍ପ ସମୟ ଭିତରେ ଘଟଣାସ୍ଥଳରେ ପହଞ୍ଚିଥିଲା। ବସନ୍ତଙ୍କୁ ଆମ୍ବୁଲାନ୍ସ ଚାଳକଙ୍କ ସମେତ କର୍ମଚାରୀ ଓ ସ୍ଥାନୀୟ ଯୁବକ ଗାଡ଼ି ମଧ୍ୟକୁ ଟେକି ନେଇଥିଲେ। ତେବେ ଠିକ୍ ଏହି ସମୟରେ ହଠାତ ଆମ୍ବୁଲାନ୍ସ ଭିତରେ ନିଆଁ ଲାଗିଯାଇଥିଲା। ସମସ୍ତେ ନିରାପଦ ଥିବା ଜଣାପଡିଛି।
ଚାଳକ ଓ କର୍ମଚାରୀ ବୁଦ୍ଧି ଖଟାଇ ତୁରନ୍ତ ବସନ୍ତଙ୍କୁ ତଳକୁ ଓହ୍ଲାଇ ଆଣିଥିଲେ। ୨ ମିନିଟ୍ ଭିତରେ ଆମ୍ବୁଲାନ୍ସଟି ସମ୍ପୂର୍ଣ୍ଣ ଜଳିଯିବା ସହିତ ଗଡ଼ି ଗଡ଼ି ରାସ୍ତାକଡକୁ ଚାଲିଯାଇଥିଲା।