ଭୁବନେଶ୍ୱର:ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀଙ୍କ ନାଁ ଉପରୁ ଉଠିଛି ପରଦା। ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହେବେ ବରିଷ୍ଠ ବିଜେପି ନେତା ତଥା କେନ୍ଦୁଝରର ବିଧାୟକ ମୋହନ ମାଝୀ ସେ ଆସନ୍ତାକାଲି ଅପରାହ୍ନ ୪.୪୫ଟାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ପାଠ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଅନେକ କେନ୍ଦ୍ରମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଯୋଗଦେବେ।
ମୋହନ ମାଝୀ କେନ୍ଦୁଝରରୁ ଏଥର କ୍ରମାଗତ ୪ର୍ଥ ବିଜୟ ହାସଲ କରିଛନ୍ତି। ସେହିପରି ସେ ଜଣେ ଆଦିବାସୀ ନେତା ଭାବେ ବେଶ ପରିଚିତ।
ଭୁବନେଶ୍ୱର ସ୍ଥିତ ବିଜେପି ମୁଖ୍ୟାଳୟରେ ଆଜି ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ ଦୁଇ କେନ୍ଦ୍ର ପର୍ଯ୍ୟବେକ୍ଷ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବ, ସମସ୍ତ ନବ ନିର୍ବାଚିତ ସାଂସଦଙ୍କ ସମେତ ଓଡ଼ିଶାର ୩ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିଥିଲେ। ବୈଠକରେ ମୋହନ ମାଝୀଙ୍କୁ ବିଧାୟକ ଦଳ ନେତା କରିବାକୁ ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ଏହା ସର୍ବସମ୍ମତିକ୍ରମେ ପାରିତ ହୋଇଛି। ମୋହନ ମାଝୀ ଦଳ ନେତା ଭାବେ ନିର୍ବାଚିତ ହୋଇଥିବାରୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।
ସେହିପରି ଆସନ୍ତାକାଲି ମୋହନଙ୍କ ସହ ଆଉ କିଛି ମନ୍ତ୍ରୀ ମଧ୍ୟ ଶପଥ ନେବେ। ସେମାନଙ୍କ ନାଁ ଆଜିର ବୈଠକରେ ଏକ ପ୍ରକାରର ସ୍ଥିର ହୋଇଛି। କିନ୍ତୁ ଏହାକୁ ଦଳ ପକ୍ଷରୁ ସାର୍ବଜନୀନ କରାଯାଇ ନାହିଁ।
