ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଆଜି ଅପରାହ୍ନରେ ଶପଥ ନେବ ମୋହନ ସରକାର। ଏନେଇ ରାଜଭବନ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇଛି। ଭୁବନେଶ୍ୱର ଜନତା ମଇଦାନରେ ୪.୫୫ରେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ତେବେ ଏହାପୂର୍ବରୁ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟପାଳ ନିଯୁକ୍ତି ଦେଇଛନ୍ତି।

ମଙ୍ଗଳବାର ବସିଥିବା ଦଳର ବିଧାୟକ ଦଳ ବୈଠକରେ କେନ୍ଦୁଝର ବିଧାୟକ ମୋହନଙ୍କ ନାମ ଉପରେ ମୋହର ବାଜିଥିଲା । ପରେ ଏନେଇ ଘୋଷଣା କରାଯିବା ପରେ ସନ୍ଧ୍ୟାରେ ମୋହନଙ୍କ ସମେତ ଭାଜପାର ବରିଷ୍ଠ ନେତାମାନେ ରାଜଭବନରେ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଥିଲେ। ସେଠାରେ ସେ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ଏହି ଅବସରରେ ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ, ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ।

ଶପଥ ନେବାକୁ ଯାଉଥିବା ବିଜେପି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧୀନରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ବିଜେପି ପକ୍ଷରୁ ଘୋଷଣା କରାଯାଇଛି ।

ବରିଷ୍ଠ ବିଜେପି ନେତା କନକବର୍ଦ୍ଧନ ସିଂହଦେଓ ଏବଂପ୍ରଥମ ଥର ବିଧାୟିକା ପ୍ରଭାତୀ ପରିଡ଼ା ଆସନ୍ତାକାଲି ଜନତା ମଇଦାନରେ ପିନ୍ଧିବେ ଉପମୁଖ୍ୟମନ୍ତ୍ରୀ ମୁକୁଟ । ଏହା ସହ ୧୯୯୯ ପରେ ଓଡ଼ିଶା ଶାସନରେ ପୁଣି ଆରମ୍ଭ ହେବ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ । ତେବେ ରାଜ୍ୟ ଇତିହାସରେ ଏହା ପୂର୍ବରୁ ମୋଟ ୩ ଜଣ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି

Leave a Reply

Your email address will not be published. Required fields are marked *

error: Content is protected !!