ଧାମନଗରର ବିଧାୟକ ସୂର୍ଯ୍ୟବଂଶୀ ସୂରଜ,ଚର୍ଚ୍ଚିତ ଚେହେରାରୁ ମନ୍ତ୍ରୀ ପଦ

ଭୁବନେଶ୍ୱର:ଗତ କିଛିଦିନ ହେଲାଣି ରାଜ୍ୟରେ ବେଶ ଚର୍ଚ୍ଚିତ ନାଁ ହୋଇଯାଇଛି ଧାମନଗରର ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୂରଜ। ଇଞ୍ଜିନିୟରିଂରେ ଡିଗ୍ରୀ ଅର୍ଜନ କରିବା ପରେ ସେ ବିଦେଶରେ ଏକ କମ୍ପାନୀରେ କିଛି ମାସ କାମ କରିଥିଲେ। ପିତା ତଥା ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କୁ ନିର୍ବାଚନୀ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଚାକିରି ଛାଡ଼ି ଧାମନଗରରେ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଥିଲେ।

ପିତା ବିଷ୍ଣୁଙ୍କ ଅକାଳ ବିୟୋଗ ପରେ ସେ ସକ୍ରିୟ ରାଜନୀତିକୁ ଆସିଥିଲେ। ଭଦ୍ରକ ନୂଆବଜାର ମଞ୍ଜୁରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରୁ ପ୍ରାଥମିକ ଓ ହାଇସ୍କୁଲ ଶିକ୍ଷା ପରେ ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ବି.ଟେକ୍‌ କରିଥିଲେ ସୂରଜ। ସେ ଆଇନ ଶିକ୍ଷାରେ ସ୍ନାତକ ମଧ୍ୟ କରିଛନ୍ତି। ସୁଦୂର ବେଲଜିୟମରେ ଚାକିରି ଛାଡ଼ି ହାଇଦ୍ରାବାଦର ଏକ ପ୍ରତିଷ୍ଠିତ କମ୍ପାନିରେ ସିଭିଲ ଇଞ୍ଜିନିୟର ଓ ପରେ ଧାମରା ବନ୍ଦରରେ ଯନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

ଧାମନଗର ବିଧାୟକ ଥିବାବେଳେ ୨୦୨୨ ସେପ୍ଟେମ୍ବର ୧୯ରେ ବିଷ୍ଣୁଙ୍କ ପରଲୋକ ହୋଇଥିଲା। ୨୦୨୨ ନଭେମ୍ବର ୩ରେ ଧାମନଗର ଉପନିର୍ବାଚନରେ ଭାଜପାରୁ ସୂର୍ଯ୍ୟବଂଶୀଙ୍କୁ ପ୍ରାର୍ଥୀ କରାଯାଇଥିଲା। ଯୁବ ଚେହେରା ଓ ରୋକଠୋକ କଥା ସାଙ୍ଗକୁ ଅନୁକମ୍ପାମୂଳକ ଭୋଟ ସାହାଯ୍ୟରେ ସେ ଉପନିର୍ବାଚନ ଜିତିଥିଲେ। ବିଜେଡି ବିଜୟଧାରାରେ ବ୍ରେକ୍‌ ଲଗାଇ ସେ ସାରା ଓଡ଼ିଶାର ଚର୍ଚ୍ଚିତ ଚେହେରା ପାଲଟିଥିଲେ।

ଚଳିତ ନିର୍ବାଚନରେ ସେ ବିଜେଡି ପ୍ରାର୍ଥୀ ଡାକ୍ତର ସଞ୍ଜୟ କୁମାର ଦାସଙ୍କୁ ୮୦୯୫ ଭୋଟ୍‌ରେ ପରାସ୍ତ କରି ଦ୍ବିତୀୟଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ବର୍ତମାନ ସେ ରାଷ୍ଟ୍ରମନ୍ତ୍ରୀ ହେବାପରେ ଜନ୍ମମାଟି ତିହିଡ଼ି ବ୍ଲକ୍‌ ଭାଟପଡା ପଞ୍ଚାୟତ ମଙ୍ଗରାଜପୁର ଗାଁ ସମେତ ଭଦ୍ରକ ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!