ରଥଯାତ୍ରାରେ ବିଭ୍ରାଟ ପାଇଁ ଚାଲିଛି ବିରାଟ ଷଡ଼ଯନ୍ତ୍ର

ଭୁବନେଶ୍ୱର :କଥାରେ ଅଛି କର୍ପୁର ସିନା ଉଡ଼ିଗଲା ହେଲେ କପଡା ଅଛି। ପାଣ୍ଡିଆନ ସିନା ମୁହଁ ଲୁଚାଇ ବୁଲୁଛନ୍ତି କିନ୍ତୁ ପାଣ୍ଡିଆନପନ୍ଥୀ ଇକୋସିଷ୍ଟମ ଏ ପର୍ଯ୍ୟନ୍ତ ବେଶ ସକ୍ରିୟ ଅଛି । ଗତ ୧୦ ବର୍ଷ ଧରି ସରକାରକୁ କବଳିତ କରି ଏହି ଗୋଷ୍ଠୀ ଯାବତୀୟ ସୁଖସୁବିଧା ଭୋଗ କରି ଆସୁଥିଲେ । ସେମାନେ କେବେ ବି ସପ୍ନରେ ବି ଭାବି ନଥଲେ ଯେ,ପାଣ୍ଡିଆନରାଜର ଅବସାନ ଘଟିବ । କିନ୍ତୁ ଓଡ଼ିଶାର ଜନତା ବିନା ପ୍ରତିକ୍ରିୟାରେ ସରକାର ବଦଳାଇଲେ।

ତଥାପି ପାଣ୍ଡିଆନପନ୍ଥୀ ଚୁପ ରହିବା ପରିବର୍ତ୍ତେ ନୂଆ ସରକାରଙ୍କୁ ବଦନାମ କରିବା ନିମନ୍ତେ ଭିତିରି ଉଦ୍ୟମ ଆରମ୍ଭ କରିଛନ୍ତି । ଜୁଲାଇ ୭ରେ ଆରମ୍ଭ ହେଉଛି ନବଦିନ ବ୍ୟାପି ରଥଯାତ୍ରା। ଏହି ଯାତ୍ରା ସହ ଓଡ଼ିଶାର ଲକ୍ଷଲକ୍ଷ ଜଗନ୍ନାଥପ୍ରେମୀଙ୍କ ଭାବାବେଗ ଜଡିତ। ଏଣୁ ଏହି ଉତ୍ସବରେ ଅବ୍ୟବସ୍ଥା ସୃଷ୍ଟି କରିବା ଲାଗି ପୁରୁଣା ଇକୋସିଷ୍ଟମ ତତ୍ପର ହୋଇପଡିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି।

ଶ୍ରୀମନ୍ଦିର ପରିଚାଳନା ସମିତି ଏବଂ କେତେକ ବରିଷ୍ଠ ସେବାୟତ ବିଜୁ ଜନତା ଦଳ ସହ ଜଡିତ। ଏଇମାନଙ୍କ ଇସାରାରେ ମହାପ୍ରଭୁଙ୍କ ନୀତିକାନ୍ତି ବି ପାଣ୍ଡିଆନଙ୍କ ପାଇଁ ବଦଳା ଯାଉଥିଲା। ଯେତେବେଳେ ଲଗାତାର ଭାବେ ମହାପ୍ରଭୁଙ୍କ ଜଗନ୍ନାଥଙ୍କର ଅପମାନ କରାଯାଉଥିଲା ଶ୍ରୀମନ୍ଦିର ପରିଚାଳନା ସମିତି ଓ କିଛି ବ୍ୟକ୍ତି ଚୁପ ରହି ତାମସା ଦେଖୁଥିଲେ। ଓଲଟି ପରିକ୍ରମା ପ୍ରକଳ୍ପକୁ ସରକାରଙ୍କର ସବୁଠୁ ବଡ଼ ଅବଦାନ ବୋଲି କହି ମଠ ଧ୍ୱଂସକାରୀଙ୍କୁ ସାର୍ଟିଫିକେଟ ଦେଇଥିଲେ ।

ଯେତେବେଳେ ଏମାର ମଠ ପରି ଅନେକ ଐତିହ୍ୟ ସମ୍ପନ୍ନ ମଠକୁ ଧ୍ୱଂସ କରି ଦିଆଗଲା ସେତେବେଳେ ଏହା ବିରୋଧରେ କେହି ସ୍ଵର ଉତ୍ତୋଳନ କରି ନ ଥିଲେ। ରଘୁନନ୍ଦନ ଲାଇବ୍ରେରୀ ଭଳି ଏକ ବିରାଟ ସମ୍ପଦକୁ ମଧ୍ୟ ନଷ୍ଟ କରିଦିଆଗଲା। ଉକ୍ତ ଗୋଷ୍ଠୀ ଭୈରବ ପାଣ୍ଡିଆନଙ୍କୁ ଡରୁଥିଲେ କିମ୍ବା ତାଙ୍କଦ୍ବାରା ଅନୁଗୃହୀତ ଥିଲେ। ପରିକ୍ରମା ପ୍ରକଳ୍ପ ବାହାନାରେ ଜଗତରନାଥଙ୍କୁ ଭିକାରୀ ସଜାଇ ଅଟୋଡାଲାରେ ବୁଲାଗଲା। ଗୁଆ ଓ ଅରୁଆ ଚାଉଳ ସଂଗ୍ରହ ଚାଲିଲା। ଏହା ସମ୍ପୂର୍ଣ ହିନ୍ଦୁ ଓ ଶ୍ରୀମନ୍ଦିର ପରମ୍ପରା ବିରୋଧୀ ହୋଇଥିଲେ ହେଁ କେହି ପାଟି ଫିଟାଇଲେ ନାହିଁ ।

ଏବେ ପାଣ୍ଡିଆନ ଯୁଗ ସରିଯିବା ପରେ ଏହି ଅନୁଗତ ସମିତି ଓ କିଛି ସେବାୟତ ରଥଯାତ୍ରା ନୀତିରେ ବିଳମ୍ବ ଘଟାଇବାକୁ ଉଦ୍ୟମ କରି ପାରନ୍ତି ବୋଲି ଆଶଙ୍କା କରାଯାଉଛି। ନୂଆ ସରକାର ବଡ଼ ପରୀକ୍ଷା ଦେବେ ରଥଯାତ୍ରାରେ। ଏହା ସୁରୁଖୁରୁରେ ଯେଭଳି ହୋଇପାରିବ, ଚାହିଁବେ ମୋହନ ସରକାର ।

କିନ୍ତୁ ପାଣ୍ଡିଆନପନ୍ଥୀ ଇକୋସିଷ୍ଟମ ପୂରା ଦମରେ ଲାଗିପଡ଼ିବେ ବିଭ୍ରାଟ ସୃଷ୍ଟି କରିବା ନିମନ୍ତେ । ଏଣୁ ନୂଆ ସରକାରଙ୍କୁ ସତର୍କରହି ରଥଯାତ୍ରାର ସୁପରିଚାଳନାର ବ୍ୟବସ୍ଥା କରିବା ଦରକାର । ଏବେ ଅସ୍ଥାୟୀ ଦାୟିତ୍ୱ ବୁଝୁଛନ୍ତି ଅରବିନ୍ଦ ପାଢ଼ୀ। ସେ କିଭଳି ସମନ୍ଵୟ ରକ୍ଷା କରିବେ ତାହା ଉପରେ ରଥଯାତ୍ରାର ସୁପରିଚାଳନା ନିର୍ଭର କରିବ।

Leave a Reply

Your email address will not be published. Required fields are marked *

error: Content is protected !!