ନୂଆଦିଲ୍ଲୀ: ନିର୍ବାଚନ ପରେ ଲୋକସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରୁ ହିଁ ବିରୋଧୀ ଓ ସରକାରଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଛି। ଭାରତ ସ୍ୱାଧୀନ ହେବାପରେ ପ୍ରଥମ ଥର ବାଚସ୍ପତି ନିର୍ବାଚନ ହେବାକୁ ଯାଉଛି। ବାଚସ୍ପତି ପଦକୁ ନେଇ ସହମତ ହୋଇ ନ ପାରିବା ପରେ ବିରୋଧୀଦଳ ଏହାର ପ୍ରାର୍ଥୀ ଘୋଷଣା କରିଛନ୍ତି।ଏହି ପଦବୀ ପାଇଁ ଶେଷ ଥର ପାଇଁ ବାଚସ୍ପତି ଥିବା ଓମ ବିର୍ଲାଙ୍କୁ ଏନଡିଏ ପୁନଃ ମନୋନୀତ କରିଛି। ଇଣ୍ଡି ମେଣ୍ଟ ତରଫରୁ ଏହି ପଦ ପାଇଁ କେ ସୁରେଶ ଅବତୀର୍ଣ୍ଣ ହୋଇଛନ୍ତି।
ସୂଚନାଯୋଗ୍ୟ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ସହ ଫୋନରେ କଥା ହୋଇ ବାଚସ୍ପତି ପଦ ପାଇଁ ସମର୍ଥନ ଲୋଡିଥିଲେ। ବିରୋଧୀଦଳ ବାଚସ୍ପତି ପଦ ପାଇଁ ସରକାରଙ୍କୁ ସମର୍ଥନ କରିବାକୁ ପ୍ରସ୍ତୁତ, କିନ୍ତୁ ବିରୋଧୀଦଳଙ୍କୁ ଡେପୁଟି ସ୍ପିକର ପଦ ମିଳିବା ଉଚିତ। ରାଜନାଥ ସିଂ ଏହାଉପରେ କୌଣସି ସନ୍ତୋଷଜନ ଉତ୍ତର ନ ଦେବାରୁ ନିର୍ବାଚନ ଲଢ଼ୁଛି ବିରୋଧୀ ମେଣ୍ଟ ।
ସମୁଦାୟ ୫୪୩ ସଦସ୍ୟ ମଧ୍ୟରୁ ଭାଜପାର ଏକାକୀ ୨୪୦ଟି ଆସନ ସହିତ ଏନଡିଏର ମୋଟ ୨୯୩ ଜଣ ସଦସ୍ୟ ଅଛନ୍ତି। ସେଥିରୁ ଟିଡିପି ଏବଂ ଜେଡିୟୁରେ ୨୮ଜଣ ସଦସ୍ୟ ଅଛନ୍ତି। ତେଣୁ ବାଚସ୍ପତି ନିର୍ବାଚନ ପାଇଁ ମୋଦିଙ୍କୁ ଏହି ଦୁଇ ଦଳ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବାକୁ ପଡିବ। ଏପଟେ ଲୋକସଭାରେ ଇଣ୍ଡିଆ ମେଣ୍ଟର ୨୩୪ଟି ଆସନ ରହିଛି। ଚଳିତ ବର୍ଷ ସାଧାରଣ ନିର୍ବାଚନ ଠାରୁ ବାଚସ୍ପତି ନିର୍ବାଚନରେ ଜୋରଦାର ଲଢେଇ ଦେଖିବାକୁ ମିଳୁଛି।