ଭୁବନେଶ୍ୱର :ଚଳିତବର୍ଷ ବଡ଼ଠାକୁରଙ୍କ ଆଡ଼ପ ମଣ୍ଡପ ପହଣ୍ଡିବିଜେ ବେଳେ ଅଘଟଣକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଚିଠି ଲେଖି ଉଦବେଗ ବ୍ୟକ୍ତ କରିଥିଲେ । ଏହାସହିତ ଏଭଳି ସ୍ପର୍ଶକାତର ଘଟଣାରେ ରାଜ୍ୟ ମନ୍ତ୍ରିମଣ୍ଡଳର କିଛି ସଦସ୍ୟ ଯେଭଳି ହାଲୁକା ମନ୍ତବ୍ୟ ଦେଲେ ତାହା ଜଗନ୍ନାଥପ୍ରେମୀଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି ଓ ଭାବାବେଗକୁ ଆଘାତ ଦେଇଥିବା ଉଲ୍ଲେଖ କରିଥିଲେ । ଏଭଳି ଘଟଣା ଯେଭଳି ପୁନରାବୃତ୍ତି ନହେବ ତାହା ସୁନିଶ୍ଚିତ କରିବା ପାଇଁ ନିଜେ ଦାୟିତ୍ୱ ନେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ନବୀନ ପରାମର୍ଶ ଦେଇଥିଲେ ।

ଆଡ଼ପ ମଣ୍ଡପକୁ ବଡ଼ଠାକୁରଙ୍କ ପହଣ୍ଡିବେଳେ ଅଘଟଣକୁ ନେଇ ଉଦବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆଜି ଚିଠି ଲେଖିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ତେବେ ପୂର୍ବାହ୍ନରେ ନବୀନ ଲେଖିଥିବା ଚିଠିର ଉତ୍ତର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ଚିଠି ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ତାଙ୍କ ଚିଠିର ଲିଖିତ ଉତ୍ତର ଦେଇଛନ୍ତି । ଶ୍ରୀ ମାଝୀ ଲେଖିଛନ୍ତି ଯେ, ଚଳିତବର୍ଷ ଆଡ଼ପମଣ୍ଡପକୁ ବଡ଼ଠାକୁରଙ୍କ ପହଣ୍ଡିବେଳେ ଯେଉଁ ଅଘଟଣ ଘଟିଲା ସେଥିରେ ସାରା ଜଗତ ଦୁଃଖିତ । ଆପଣ ଏ ଘଟଣାରେ ମର୍ମାହତ ହେବା ସ୍ୱାଭାବିକ । ମୁଁ ମଧ୍ୟ ଗଭୀର ଭାବେ ମର୍ମାହତ । ଆଡ଼ପମଣ୍ଡପ ପହଣ୍ଡି ବିଜେ ସମୟରେ ହୋଇଥିବା ଅଘଟଣ ବିଷୟରେ ଜାଣିବା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ତୁରନ୍ତ ପୁରୀ ଯିବାକୁ ନିର୍ଦ୍ଦେଶ ଦେବା ସହ ଭବିଷ୍ୟତରେ ଏହାର ଯେପରି ପୁନରାବୃତ୍ତି ନଘଟିବ ସେଥିପାଇଁ ଯତ୍ନବାନ ହେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛି ।