ପୁରୀ/ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ ): ଶ୍ରୀମନ୍ଦିର ରକ୍ଷଣାବେକ୍ଷଣରେ ଗୁରୁତର ଅବହେଳା ଦେଖିବାକୁ ମିଳିଛି। ସିଂହଦ୍ବାର ସମ୍ମୁଖରେ ଲଙ୍ଗୁଳି ମଠ ଧୂନିକୁଣ୍ଡଠାରୁ ରାମଦୟା ପରିଷଦ ପର୍ଯ୍ୟନ୍ତ ପ୍ରାୟ ୫୦ରୁ ୬୦ ଫୁଟ ଓସାରରେ ମେଘନାଦ ପାଚେରିରେ ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ଫଳସ୍ବରୂପ ମେଘନାଦ ପାଚେରିର ପଥରକାନ୍ଥରୁ ୫୦ରୁ ଅଧିକ ସ୍ଥାନରୁ ଝରଣା ଭଳି ଅନର୍ଗଳ ପାଣି ଗଳୁଥିବା ଦେଖିବାକୁ ମିଳିଛି। ଏପରିକି ସିଂହଦ୍ବାର ସମ୍ମୁଖ ରାମଦୟା ପରିଷଦ ନିକଟରେ ମେଘନାଦ ପାଚେରି ବାହାରପାର୍ଶ୍ବକୁ ଠେଲି ହୋଇଯିବା(ପେଟେଇ ଗଲା) ଭଳି ଦୃଶ୍ୟମାନ ହେଉଛି। ଯାହା ମେଘନାଦ ପାଚେରିକୁ ଭୁଶୁଡ଼ାଇଦେବା ଆଶଙ୍କା ସୃଷ୍ଟି କରିଛି।
ତେବେ ଏ ସମ୍ପର୍କ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ବଡ ବୟାନ। ତୁରନ୍ତ ମରାମତି ହେବ ମେଘନାଦ ପାଚେରୀ। ଆଇନ ମନ୍ତ୍ରୀ କହିଛନ୍ତି ଯେ, ଯାହା ଅସୁବିଧା ହୋଇଛି ତାର ତୁରନ୍ତ ମରାମତି କରାଯିବ। ଯେମିତି କୌଣସି ସମସ୍ୟା ହେବ ନାହିଁ ତାର ସ୍ପଷ୍ଟତା ଆମେ ଦେଉଛୁ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ।ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ମେଘନାଦ ପାଚେରୀର ସୁରକ୍ଷାକୁ ନେଇ ଆମେ ଚିନ୍ତିତ ଅଛୁ । ଏଏସ୍ଆଇ, ଟେକ୍ନିକାଲ୍ ଟିମ ମଧ୍ୟ ସର୍ଭେ କରିଛନ୍ତି । ଖୁବଶୀଘ୍ର ରିପୋର୍ଟ ଆସିବ । ମେଘନାଦ ପାଚେରୀ ଫାଟକୁ ଗୁରୁତ୍ୱର ନେବା ସହ ଖୁବଶୀଘ୍ର ମରାମତିର ବ୍ୟବସ୍ଥା କରିବୁ