କେନ୍ଦୁଝର/ବଡ଼ବିଲ(ସୀତାରାମ ଦୀକ୍ଷିତ) :ବଡ଼ବିଲ ମହୋତ୍ସବ ପଡ଼ିଆଠାରେ ଆୟୋଜିତ ହେଉଥିବା ବଡ଼ବିଲ ମହୋତ୍ସବର ରୌପ୍ୟ ଜୟନ୍ତୀ ସମାରୋହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଉଦଘାଟିତ ହେଇଯାଇଛି ।ଉଦଘାଟନୀ ସନ୍ଧ୍ୟାରେ ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ବିଧାୟକ ଚମ୍ପୁଆ ଶ୍ରୀ ସନାତନ ମହାକୁଡ଼, ମାନ୍ୟବର ବିଧାୟକ ତେଲକୋଇ ଡାକ୍ତର ଫକୀର ମୋହନ ନାଏକ, ମାନ୍ୟବର ବିଧାୟକ ପାଟଣା ଶ୍ରୀ ଅଖିଳ ଚନ୍ଦ୍ର ନାଏକ, ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ, ମହୋତ୍ସବ କାର୍ଯ୍ୟକାରୀ କମିଟି ସଭାପତି ଶ୍ରୀ ଚନ୍ଦ୍ରଗୁପ୍ତ ପ୍ରସାଦ, ସମ୍ପାଦକ ଶ୍ରୀ ନୀଳମଣି ମହାନ୍ତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ବଡବିଲ୍ ଅଞ୍ଚଳର ଜନସାଧାରଣ, ବୁଦ୍ଧିଜୀବୀ, ବ୍ୟବସାୟୀ, ସ୍ୱୟଂ ସହାୟକ ଗୋଷ୍ଠୀ, କଲେଜ ଛାତ୍ରଛାତ୍ରୀ ସମସ୍ତଙ୍କ ଅତୁଳନୀୟ ସହଯୋଗ ଏହି ମହୋତ୍ସବକୁ ଆକର୍ଷଣୀୟ ଓ ସରସ ସୁନ୍ଦର କରିବା ସହିତ ଜିଲ୍ଲାର ଏକ ଅଗ୍ରଣୀ ମହୋତ୍ସବରେ ପରିଣତ କରିପାରିଛି ଏବଂ କେନ୍ଦୁଝର ମାଟିର ସଂସ୍କୃତି, ପରମ୍ପରା, ଜୀବନ ଶୈଳୀ ଅନନ୍ୟ, ଅନୁପମ ବୋଲି କହିଥିଲେ ।ଆହୁରିମଧ୍ୟ ମାନନୀୟ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ରତ୍ନଗର୍ଭା ବଡବିଲ୍ ଏକ ବ୍ୟସ୍ତବହୁଳ ସହର ଭାବେ ଅବିହିତ କରିବା ସହ ବୋଧହୁଏ ଏହି ଅଞ୍ଚଳରେ ବିଶ୍ୱର ସବୁଠାରୁ ଅଧିକ ଲୁହାପଥର ଓ ମାଙ୍ଗାନିଜ୍ ରେ ଭରପୁର ରହିଛି ଯାହାଫଳରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏହା ପ୍ରମୁଖ ରାଜସ୍ୱ ଉତ୍ସ ବୋଲି କହିଥିଲେ ।ଏଥିସହିତ ଭାରତ ବର୍ଷର ପ୍ରତ୍ୟେକ ରାଜ୍ୟର ଅଧିବାସୀ ଏଠାରେ ଜୀବିକା ଅର୍ଜନ ପାଇଁ ଆସି ବସବାସ କରିଥାନ୍ତି ।
ଏହି ସହରକୁ ଏକ ମିନି-ଭାରତ କହିଲେ ଅତ୍ଯୁକ୍ତି ହେବନାହିଁ । ବଡବିଲ୍ ହେଉଛି ସାଂପ୍ରଦାୟିକ ସଦ୍ଭାବ ଓ ଭାଇଚାରାର ଅଞ୍ଚଳ ।ଏଠାକାର ଅଧିବାସୀମାନେ ଜୀବନ ଜୀବିକା ପାଇଁ ଦିନରାତି ଏକାକାର କରି ଦେଇଥାନ୍ତି । ବ୍ୟସ୍ତ ମଣିଷର ବ୍ୟସ୍ତତା ଭିତରେ ମନରେ ଟିକିଏ ଖୁସି ଆଣିବା ପାଇଁ ୧୯୯୯ ମସିହାରେ ପ୍ରଥମ କରି ଆରମ୍ଭ ହୋଇଥିଲା ଏହି ବଡବିଲ୍ ମହୋତ୍ସବ । ଅଞ୍ଚଳର ଅଧିବାସୀଙ୍କ ସକ୍ରିୟ ଅଂଶ ଗ୍ରହଣରେ ସ୍ଥାନୀୟ କଳା, ସଂସ୍କୃତି ଓ ପ୍ରତିଭାର ପ୍ରଦର୍ଶନ ଥିଲା ଏହି ମହୋତ୍ସବ ଆୟୋଜନର ମୂଳ ଉଦ୍ଦେଶ୍ୟ । ଏହି ମହୋତ୍ସବ ଆରମ୍ଭ ପାଇଁ ବିଶିଷ୍ଟ ସମାଜସେବୀ ଶ୍ରୀ ବିଜୟ ମହାନ୍ତି, ଅଧ୍ୟାପକ ଶ୍ରୀ ଅଶ୍ୱିନୀ କୁମାର ସାହୁ, ବିଶିଷ୍ଟ ବ୍ୟବସାୟୀ ରାଜୁ ମେହେଟ୍ଟା, ଆସ୍ଥା ମହିଳା ସମିତିର ସଦସ୍ୟା ଏବଂ ରକ୍ସି ଯୁବକ ସଂଘ ପ୍ରଭୃତିଙ୍କ ପ୍ରମୁଖ ଅବଦାନ ରହିଥିଲା । ରୌପ୍ୟ ଜୟନ୍ତୀ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସେମାନଙ୍କୁ ସ୍ମରଣ କରିବା ସହ ଆନ୍ତରିକ ଧନ୍ୟବାଦ ଓ ସାଧୁବାଦ ଜଣାଇଥିଲେ ।