ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) :ଏଣିକି ନିଦ ହଜାଇଲା ଟ୍ରାଫିକ ପୋଲିସର ଚେକିଂ । ରୋଡ ରୋମିଓଙ୍କୁ କମିଶନରେଟ ପୋଲିସର ପାନେ । ସ୍ପିଡ ଡ୍ରାଇଭିଂ, ରଙ୍ଗ ଡ୍ରାଇଭ, ଟ୍ରିପଲ ରାଇଡିଂ, ପଲ୍ୟୁସନ, ହେଲମେଟ ନିୟମ ମାନୁନଥିବା ଟ୍ରାଫିକ ଖିଲାପକାରୀଙ୍କ ବିରୋଧରେ ନିଆଯାଇଛି ଆକ୍ସନ । ବିଶେଷକରି ମୋଡିଫାଏଡ ସାଇଲେନ୍ସର ଲଗାଇ ରାସ୍ତା ଉପରେ ଗର୍ଜନ କରି ଯାଉଥିବା ବାଇକକୁ ଧରି ପୋଲିସ ଖୋଲିଛି l ସୂଚନା ଯୋଗ୍ୟ ଯେ ଅମାନିଆ ଗାଡି ଚାଳକ ସବଧାନ! ଏଣିକି ଆଉ ଚଳିବନି ମୋଡିଫାଏଡ ସାଇଲେନ୍ସର। ଏବେଠାରୁ ବୁଲେଟ ରାଜାଙ୍କର ଚାଲିବନି ମନମାନୀ।
ଯେଉଁମାନେ ଅନାବଶ୍ୟକ ଭାବେ ନିଜ ବୁଲେଟରେ ଅତ୍ୟଧିକ ଶବ୍ଦ ପ୍ରଦୂଷଣ କରିବା ଭଳି ସାଇଲେନ୍ସର ପାଇପ୍ ଲଗାଇଥିଲେ, ସେ ସବୁକୁ ଖୋଲି ଦେଇଛି କମିଶେନରେଟ୍ ପୋଲିସ୍। ଏବେଠାରୁ ଆଉ ଭଡଭଡ ସାଉଣ୍ଡ କରି ଚଲେଇ ପାରିବେନି ଗାଡି।ଭୁବନେଶ୍ୱର ସହରାଞ୍ଚଳରେ ମଡିଫାଇଡ୍ ସାଇଲେନ୍ସର ଲଗାଇ ଶବ୍ଦ ପ୍ରଦୂଷଣ ସୃଷ୍ଟି କରୁଥିବା ଯାନବାହନ ବିରୋଧରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ, ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଓ ଭୁବନେଶ୍ୱର-କଟକ ପୋଲିସ କମିଶନର ଏସ୍ ଦେବଦତ୍ତ ସିଂଙ୍କ ମାର୍ଗଦର୍ଶନରେ ଭୁବନେଶ୍ୱର ଡିସିପି ପିନାକ ମିଶ୍ରଙ୍କ ନେତୃତ୍ବରେ ଏକ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ କରାଯାଇଛି।
ଏହି ଅଭିଯାନର ପ୍ରଥମ ଦିନରେ ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରୁ ପୋଲିସ କର୍ମଚାରୀମାନେ ୧୦୦ରୁ ଅଧିକ ମଡିଫାଏଡ୍ ସାଇଲେନ୍ସର ବାଇକ ଧରିଥିଲେ।ବିକଟାଳ ଶବ୍ଦ ଅବୈଧ ଓ ଶବ୍ଦସୀମା ୮୦ ଡେସିବେଲରୁ ଅଧିକ ହେଲେ, ଏହାର ଉଲ୍ଲଂଘନକୁ କଡାକଡି କରାଯିବ । ଧରାଯାଇଥିବା ଗାଡିମାନଙ୍କ ସାଇଲେନ୍ସର ବାହାର କରାଯିବା ସହ ଜୋରିମାନା ଆଦାୟ କରାଯାଇଛି। ଏବେଠାରୁ ଫାଇନ ନୁହେଁ, ସିଧା କୋର୍ଟରୁ ଆଣିବାକୁ ପଡ଼ିବ ବେଲ। ଏହାସହ ବେଆଇନ ମୋଡିଫାଏଡ ସୋ ରୁମ ଓ ଦୋକାନ ଉପରେ ମଧ୍ୟ ଖୁବଶୀଘ୍ର ଚଢ଼ାଉ ହେବ ବୋଲି ସୂଚନା ଦେଇଛି କମିଶନରେଟ ପୁଲିସ। ସଡକ ଦୁର୍ଘଟଣା ରୋକିବା ପାଇଁ ଏଭଳି ପ୍ରୟାସ ଚାଲିଥିବା କହିଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର।